୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ : ପେଟ୍ରୋଲ ୩୦ ଟଙ୍କା ଏବଂ ୩୬ ଟଙ୍କା ମହଙ୍ଗା ହେଲାଣି ଡିଜେଲ ଦର, କେଉଁ ବର୍ଷ କେତେ ବଢିଛି ଜାଣନ୍ତୁ…

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲଗାତାର ଭାବେ ଜାରି ରହିଛି । ଗତ କିଛି ଦିନ ହେଲା ବେକାବୁ ହେଉଥିବା ତେଲ ଦର ସାଙ୍ଗକୁ କରୋନା ମାଡ ଲୋକମାନଙ୍କୁ ହସ୍ତବ୍ୟସ୍ତ କରିଦେଲାଣି । ଏହି କ୍ରମରେ ଶୁକ୍ରବାର ପୁଣି ଥରେ ଦେଶରେ ବୃଦ୍ଧି ପାଇଛି ପେଟ୍ରୋଲ ଏବଂ ଡିଜେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୨୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୯୫.୮୫ ଟଙ୍କା ଏବଂ ଡିଜେଲ ୮୬.୭୫ ଟଙ୍କା ରହିଛି ।
ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଶହେ ଟଙ୍କା ପାର କରିଛି । ପେଟ୍ରୋଲ ୧୦୧.୦୪ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟ ପିଛା ରହିଛି ୯୪.୧୫ ଟଙ୍କା । ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତିତ ଦେଶର ଅନେକ ସ୍ଥାନରେ ତୈଳ ଦର ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଦର ଶହେ ପାର କରିବା ପରେ ଖାଉଟିଙ୍କ ଚିନ୍ତା ବଢିଯାଇଛି ।
ଏହି କ୍ରମରେ ଯଦି ଦେଖିବାକୁ ଯିବା ଦେଶରେ ଗତ ୭ ବର୍ଷ ମଧ୍ୟରେ ପେଟ୍ରୋଲ ୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୬ ଟଙ୍କା ବୃଦ୍ଧି ପାଇଛି । ବର୍ଷ ୨୦୧୪-୧୫ରେ ପେଟ୍ରୋଲ ଦର ୬୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଦର ଲିଟର ପିଛା ଥିଲା ୫୦ ଟଙ୍କା । କିନ୍ତୁ ଆଜି ୨୦୨୧ରେ ଦେଶର କିଛି ସ୍ଥାନରେ ପେଟ୍ରୋଲ ସେଞ୍ଚୁରୀ ମାରିଥିବା ବେଳେ ଡିଜେଲ ୯୫ ପାର କରିଛି ।

ନଜର ପକାନ୍ତୁ କେଉଁ ବର୍ଷ କେତେ ଥିଲା ଦର

୨୦୧୪-୧୫ : ପେଟ୍ରୋଲ ୬୬.୦୯ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୫୦.୩୨ ଟଙ୍କା
୨୦୧୫-୧୬ : ପେଟ୍ରୋଲ ୬୧.୪୧ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୪୬.୮୭ ଟଙ୍କା
୨୦୧୬-୧୭ : ପେଟ୍ରୋଲ ୬୪.୭୦ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୫୩.୨୮ ଟଙ୍କା
୨୦୧୭-୧୮ : ପେଟ୍ରୋଲ ୬୯.୧୯ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୫୯.୦୮ ଟଙ୍କା
୨୦୧୮-୧୯ : ପେଟ୍ରୋଲ ୭୮.୦୯ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୬୯.୧୮ ଟଙ୍କା
୨୦୧୯-୨୦ : ପେଟ୍ରୋଲ ୭୧.୦୫ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୬୦.୦୨ ଟଙ୍କା
୨୦୨୦-୨୧ : ପେଟ୍ରୋଲ ୭୬.୩୨ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଥିଲା ୬୬.୧୨ ଟଙ୍କା
୨୦୨୧ ଜୁନ ୧୧ରେ : ପେଟ୍ରୋଲ ୯୫.୮୫ ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ରହିଛି ୮୬.୭୫ ଟଙ୍କା

ପେଟ୍ରୋଲ ଦର ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଐତିହାସିକ ସ୍ତରରେ ପହଞ୍ଚିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି ।

ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇ ୯୬.୬୬ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୩୧ ପଇସା ବୃଦ୍ଧିପାଇ ୯୪.୫୯ରେ ପହଞ୍ଚିଛି । ଗତକାଲି ଅର୍ଥାତ ଗୁରୁବାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୬.୩୬ ଟଙ୍କା ଏବଂ ଡିଜେଲ ୯୪.୨୮ ଟଙ୍କା ପ୍ରତି ଲିଟର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.