କମିବ ପେଟ୍ରୋଲ-ଡିଜେଲ୍ ଦାମ୍ ? ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ
10/06/2023 at 4:56 PM

ନୂଆଦିଲ୍ଲୀ: ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସ୍ଥିର ରହେ ତେବେ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ୍ ଦାମ ହ୍ରାସ କରିବା ଉପରେ ବିଚାର କରିବେ। ଶନିବାର ଏହା କହିଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ। ମନ୍ତ୍ରୀ କହିଛନ୍ତି, ତୈଳ କମ୍ପାନୀଙ୍କ ପାଇଁ ଆଗାମୀ ତ୍ରୈମାସ ସକରାତ୍ମକ ରହିପାରେ। ବିଜେପି ମୁଖ୍ୟାଳୟରେ ପେଟ୍ରୋଲ ଦାମ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି।

ସେ କହିଛନ୍ତି, ଆଗାମୀ ସମୟରେ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବୁ। ସରକାରୀ ତୈଳ ବିପଣନକାରୀ କମ୍ପାନୀ ଗତ ତ୍ରୈମାସରେ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ କିଛି ଘାଟାର ଭରଣା କରି ଦେଇଛନ୍ତି। ନିଜର କର୍ପୋରେଟ୍ ଦାୟିତ୍ଵ ଭଲ ଭାବେ ନିର୍ବାହ କରିଛନ୍ତି। ଯେମିତି ସମୟ ଆଗକୁ ଗଡ଼ିବ ପରିସ୍ଥିତି ଅନୁରୂପ ନିଷ୍ପତ୍ତି ନେବୁ। ବିଜେପି ନେତା କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ସୁନିଶ୍ଚିତ କରିଛନ୍ତି ଯେ, ଏପ୍ରିଲ ୨୨ ପରଠୁ ତୈଳ ଦର ଯେମିତି ନ ବଢିବ।

ସୂଚନାଯୋଗ୍ୟ, ଭାରତୀୟ ତୈଳ ବିପଣନକାରୀ କମ୍ପାନୀ ଦୀର୍ଘ ସମୟରୁ ପେଟ୍ରୋଲ-ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଦିଲ୍ଲୀ, ଗାଜିଆବାଦ, ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ କମ୍ ରହିଛି। ପୁଣି ଆଗକୁ ନିର୍ବାଚନ ଋତୁ ପାଖଉ ଥିବାରୁ ତେଲ ଦର କମିବାର ସମ୍ଭାବନା ରହିଛି। ଏମିତି ହେଲେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ଵସ୍ତି ମିଳିବ।