ପେଟ୍ରୋଲ୍‌ ୩ ଟଙ୍କା କମ୍‌, ଷ୍ଟାଲିନ୍‌ ସରକାରଙ୍କ କ୍ଷତି ୧୧୬୦ କୋଟି

Published By : Prameya-News7 Bureau | August 13, 2021 IST

ନୂଆଦିଲ୍ଲୀ ୧୩/୦୮: କରୋନା କାଳରେ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଲୋକମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି । ତେଲ ଦର ୧୦୦ ଉପରେ ପହଞ୍ଚିଥିବା ବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଏହା ପରେ ବି କେନ୍ଦ୍ର ସରକାର ହାତ ଟେକିଦେଇଥିବା ବେଳେ ଏବେ ତାମିଲନାଡ଼ୁରେ ଶାସନକୁ ଆସିଥିବା ଷ୍ଟାଲିନ ସରକାର ଲୋକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି।

ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା କମ୍‌ କରିଛନ୍ତି ସରକାର । ତାମିଲନାଡୁର ଷ୍ଟାଲିନ ସରକାର ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଥିବା ବେଳେ ଏନେଇ ଏବେ ଦେଶରେ ଚର୍ଚ୍ଚା ହେଉଛି। ତାମିଲନାଡ଼ୁରେ ଏବେ ୨.୬ କୋଟି ଦୁଇ ଚକିଆ ଯାନ ଚାଲୁଛି। ପେଟ୍ରୋଲ ଦର କମିବା ଦ୍ବାରା ବାଇକ୍‌ ଚାଳକଙ୍କୁ ସିଧା ଫାଇଦା ହେବ । ଶୁକ୍ରବାର ରାଜ୍ୟର ଅର୍ଥ ମନ୍ତ୍ରୀ ପିଟି ପଲାନିଭେଲ୍‌ ଥୈଗାରାଜନ ବିଧାନସଭାରେ ପେଟ୍ରୋଲ ୩ ଟଙ୍କା ଶସ୍ତା ହୋଇଥିବା ନେଇ ଘୋଷଣା କରିଛନ୍ତି ।

ପେଟ୍ରୋଲ୍‌ ଦର କମାଇବା ଦ୍ବାରା ରାଜ୍ୟ ରାଜକୋଷକୁ ୧୧୬୦ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ । ଏବେ ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି।  ତେବେ ତାମିଲନାଡୁରେ ପେଟ୍ରୋଲ୍‌ ଦାମ କମିବା ପୂର୍ବରୁ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୧୦୨.୪୯ ଟଙ୍କା ଏବଂ ଡିଜେଲ୍‌ ଲିଟର ପ୍ରତି ୯୪.୩୯ ଟଙ୍କା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.