ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ମାମଲା: ଭାରତୀୟ କମ୍ପାନୀଙ୍କ ଉପରେ ରୋକ ଲଗାଇବାକୁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Published By : Prameya-News7 Bureau | September 09, 2024 IST

ନୂଆଦିଲ୍ଲୀ ୯।୯: ସୁପ୍ରିମକୋର୍ଟ ସୋମବାର ସେହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁଥିରେ ଭାରତ ଓ ଭାରତୀୟ କମ୍ପାନୀଙ୍କୁ ଗାଜା ଯୁଦ୍ଧ ଲାଗି ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ସହାୟତା ଯୋଗାଣ ଉପରେ ରୋକ ଲଗାଇବାକୁ ନିବେଦନ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ଦେଶର ବୈଦେଶିକ ନୀତିରେ  ସେ ହସ୍ତକ୍ଷେପ କରିପାରିବେ ନାହିଁ। ଯଦି ଇସ୍ରାଏଲ ରପ୍ତାନୀ ଉପରେ ରୋକ ଲଗାଏ ତେବେ ତା ବିରୋଧରେ ରପ୍ତାନୀରେ ସାମିଲ ଭାରତୀୟ ଫାର୍ମମାନଙ୍କ ସହ କଣ୍ଟ୍ରାକ୍ଟ ଦାୟିତ୍ୱ ଉଲ୍ଲଂଘନର ମକଦମା ଚଳାଯାଇପାରେ ବୋଲି କୋର୍ଟ କହିଛନ୍ତି। 

ରିପୋର୍ଟ ଅନୁସାରେ ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ  ଜେ.ବି. ପାରଦୀବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ସୁପ୍ରିମକୋର୍ଟ ପୀଠ ଅଶୋକ କୁମାର ଶର୍ମା ଓ ଅନ୍ୟମାନଙ୍କ ଦ୍ୱାରା ଓକିଲ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ରୁଜୁ ଆବେଦନ ଉପରେ ଶୁଣାଣି କରିଛନ୍ତି। ଯେଉଁଥିରେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ଉପକରଣ ରପ୍ତାନୀ କରୁଥିବା ଭାରତୀୟ ଫାର୍ମଙ୍କ ଲାଇସେନ୍ସ ରଦ୍ଦ ନିମନ୍ତେ କେନ୍ଦ୍ରକୁ ଏହି ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। 

ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ ଗାଜାରେ ଇସ୍ରାଏଲ ନରସଂହାର ଚଳାଇଛି। ଏଣୁ ଭାରତୀୟ ଅସ୍ତ୍ରଶସ୍ତ୍ରର ରପ୍ତାନୀ ନରସଂହାର ଅପରାଧ ନିୟନ୍ତ୍ରଣ ଓ ଦଣ୍ଡ ସମ୍ପର୍କିତ କନଭେନସନର ଉଲ୍ଲଂଘନ । ତେବେ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ବିଦେଶ ସମ୍ପର୍କିତ ମାମଲା ନିମନ୍ତେ କେନ୍ଦ୍ର ସରକାର ପ୍ରାଧିକୃତ। ଏହା ଛଡା ଆବେଦନକାରୀ ଚାହୁଁଥିବା ଆଶ୍ୱସ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କୁ ଇସ୍ରାଏଲ ବିରୋଧରେ ଅଭିଯୋଗର ନିଷ୍କର୍ଷ ବାହାର କରିବାକୁ ପଡିବ, ଯାହା ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଓ ଭାରତୀୟ କୋର୍ଟଙ୍କ ଅଧିକାର କ୍ଷେତ୍ର ଅଧୀନ ନୁହନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.