ରାମ ମନ୍ଦିର ଭୂମିପୂଜନ ଉପରେ ରୋକ ଲଗାଇବାକୁ ଆଲ୍ଲାହାବାଦ ହାଇକୋର୍ଟରେ ଆବେଦନ ଦାଖଲ କଲେ ସାମ୍ବାଦିକ

Published By : Prameya-News7 Bureau | July 24, 2020 IST

ପ୍ରୟାଗରାଜ ୨୪/୦୭ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମିପୂଜନ ଉପରେ ରୋକ ଲଗାଇବାକୁ ଦାବି ହୋଇଛି | ଏହି ପ୍ରସଙ୍ଗରେ ଇଲାହାବାଦ ହାଇକୋର୍ଟରେ ଆବେଦନ ପତ୍ର ଦାଖଲ ହୋଇଛି | ହାଇକୋର୍ଟରେ ଦିଲ୍ଲୀର ଜଣେ ସାମ୍ବାଦିକ ଭୂମିପୂଜନ ଉପରେ ରୋକ ଲଗାଇବାକୁ ଆବେଦନ ଦାଏର କରିଛନ୍ତି | ଆବେଦନରେ ରାମ ମନ୍ଦିର ଭୂମିପୂଜନକୁ ଅନଲକ-୨ ଗାଇଡଲାଇନର ଉଲଙ୍ଘନ ବୋଲି କୁହାଯାଇଛି | ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଟର ପିଆଇଏଲ ମାଧ୍ୟମରେ ଆବେଦନ କରିଛନ୍ତି |

ଆବେଦନରେ କୁହାଯାଇଛି ଯେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ସମୟରେ ପାଖାପାଖି ୩୦୦ ଲୋକ ଏକାଠି ହେବେ | ଏହା କୋଭିଡ-୧୯ ନିୟମ ବିରୁଦ୍ଧ | ଲେଟର ପିଟିସନ ଜରିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି | ଜନହିତ ପିଟିସନରେ ଏହା ମଧ୍ୟ କୁହାଯାଇଛି ଯେ ଏହି ସମାରୋହ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି | ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ଗାଇଡଲାଇନ ଉଲଙ୍ଘନ କରିପାରିବେ ନାହିଁ ବୋଲି ମଧ୍ୟ ପିଟିସନରେ କୁହାଯାଇଛି |

ଯଦି ଲେଟର ପିଟିସନ ମଞ୍ଜୁର ହୁଏ ତାହେଲେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନାମିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ | ଆବେଦନରେ ରାମ ମନ୍ଦିର ଟ୍ରଷ୍ଟ ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ପକ୍ଷକାର କରାଯାଇଛି | ଆବେଦନରେ ଗୋଖଲେ ସେହି ଆଦେଶ ସମ୍ପର୍କରେ ମଧ୍ୟ କହିଛନ୍ତି, ଯେଉଁ ଆଦେଶ ହିସାବରେ ବକାରୀଦରେ ସାମୁହିକ ନମାଜ ପାଇଁ ଅନୁମତି ଦିଆଯାଇନଥିଲା | କରୋନା ସଂକ୍ରମଣ ଭୟରେ ବକାରୀଦରେ ସାମୁହିକ ନମାଜ ପାଠ ପାଇଁ ଯଦି ଅନୁମତି ଦିଆଯାଇନଥିଲା ତାହେଲେ ରାମ ମନ୍ଦିର ଭୂମିପୂଜନ ପାଇଁ ସରକାର କିଭଳି ଅନୁମତି ଦେଇଛନ୍ତି | ସାମ୍ବାଦିକ ଗୋଖଲେ ବିଦେଶରେ ଅନେକ ଖବରକାଗଜରେ କାମ କରିସାରିଛନ୍ତି | ସେ ଜଣେ ସୋସିଆଲ ଆକ୍ଟିଭିଷ୍ଟ ମଧ୍ୟ |

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ହେବାକୁଥିବା ଭୂମିପୂଜନ ମୁହୂର୍ତ୍ତକୁ ନେଇ ବିବାଦ ଆରମ୍ଭ ହୋଇଛି | ପ୍ରୟାଗରାଜ ଜ୍ୟୋତିଷ ଆଚାର୍ଯ୍ୟ ଅବିନାଶ ରାୟ ଏହି ମୁହୂର୍ତ୍ତକୁ ଶୁଭ ମୁହୂର୍ତ୍ତ ନୁହେଁ ବୋଲି କହିଛନ୍ତି | ସେ କହିଛନ୍ତି ଏହି ସମୟରେ ଭୂମିପୂଜନ କଦାପି ଠିକ ନୁହେଁ | ଚାତୁର୍ମାସରେ ଦେବାଳୟ ଭୂମିପୂଜନ ଓ ଶିଳାନ୍ୟାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି | ଜ୍ୟୋତିଷଙ୍କ ଅନୁଯାୟୀ, ଅଗଷ୍ଟ ୫ ତାରିଖରେ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଶୁଭ ଯୋଗରେ ନାହାନ୍ତି | ଏହି ମୁହୂର୍ତ୍ତରେ ଭୂମିପୂଜନ କଲେ ମନ୍ଦିର ନିର୍ମାଣରେ ଅନେକ ବାଧା ଉପୁଜେ ପାରେ ବୋଲି ସେ କହିଛନ୍ତି | ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ବତୀ ମଧ୍ୟ ଅଗଷ୍ଟ ୫ ତାରିଖକୁ ଅଶୁଭ ମୁହୂର୍ତ୍ତ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.