ନୂଆଦିଲ୍ଲୀ ୫।୧: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ରେ ବୟସ୍କା ମହିଳାଙ୍କ ଉପରେ ପରିଶ୍ରା କରିଥିବା ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯିବ। ଏଥିଲାଗି ଦିଲ୍ଲୀ ପୋଲିସ ସବୁ ପ୍ରସ୍ତୁତି କରିସାରିଛି। ଅଭିଯୁକ୍ତର ନାମ ଶେଖର ମିଶ୍ର ଓ ସେ ମୁମ୍ବାଇର ବାସିନ୍ଦା ବୋଲି ପୋଲିସ କହିଛି। ପାଖାପାଖି ୪୫ ବର୍ଷ ବୟସ୍କ ମିଶ୍ର ବିରୋଧରେ ଆଇପିସିର ଧାରା ୩୫୪, ୨୯୪, ୫୦୯ ଓ ୫୧୦ରେ ମୋକଦ୍ଦମା ରୁଜୁ ହୋଇଛି।
ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ଏକ ଟିମ୍ ଗଠନ କରିଛି। ସେହିପରି ଏୟାର ଇଣ୍ଡିଆ ମଧ୍ୟ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ମିଶ୍ର ଉପରେ ୩୦ ଦିନ ପର୍ଯ୍ୟନ୍ତ ବିମାନ ଯାତ୍ରା କଟକଣା ଲଗାଯାଇଛି। ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଜନୈକ ଯାତ୍ରୀ ବିଜନେସ୍ କ୍ଲାସ୍ରେ ଯାତ୍ରା କରୁଥିବା ଜନୈକା ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିଲେ। ଏହି ଘଟଣା ଗତ ନଭେମ୍ବର ୨୬ ତାରିଖରେ ହୋଇଥିଲା।
{"id":729418,"sizeSlug":"full","linkDestination":"none"}ମହିଳାଙ୍କ ଅଭିଯୋଗ ଆଧାରରେ ଏୟାରଲାଇନ୍ସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ। ଏଣୁ ବୟସ୍କା ମହିଳା ଘଟଣା ସମ୍ପର୍କରେ ଇଣ୍ଡିଆନ ଏୟାରଲାଇନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନଙ୍କୁ ପତ୍ର ଲେଖି ଜଣାଇବା ପରେ ଏୟାର ଲାଇନ୍ସ ଅଫିସର ତତ୍ପର ହେବା ସହ ମାମଲାରେ ଦିଲ୍ଲୀ ପୋଲିସକୁ ଲିଖିତ ଏତଲା ଦେଇଥିଲେ। ଯାତ୍ରୀ ପରିଶ୍ରା କରିବା ପରେ ମହିଳା ସେହି ସିଟ୍ରେ ବସିବାକୁ ଚାହିଁନଥିଲେ ଏଣୁ ତାଙ୍କୁ କର୍ମଚାରୀ ଅନ୍ୟ ଏକ ସିଟ୍ରେ ବସାଇଥିଲେ। ତେବେ ଘଣ୍ଟାକ ପରେ ତାଙ୍କୁ ତାଙ୍କ ସିଟ୍ରେ ଯାଇ ବସିବାକୁ କୁହାଯାଇଥିଲା। ଅନିଚ୍ଛା ସତ୍ତ୍ୱେ ମହିଳା ଯାତ୍ରୀ ସେହି ସିଟ୍କୁ ଫେରିଥିଲେ ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।
ମହିଳା କହିଛନ୍ତି ଯେ ବିଜନେସ୍ କ୍ଲାସ୍ରେ ଅନେକ ସିଟ୍ ଖାଲିଥିଲା। ହେଲେ କର୍ମଚାରୀ ତାଙ୍କ ସିଟ୍ରେ ଚଦର ଘୋଡେଇ ଦେଇ ତାଙ୍କୁ ବସାଇ ଥିଲେ। ତେବେ ସେ ଏହାକୁ ବିରୋଧ କରିବାକୁ ତାଙ୍କୁ କର୍ମଚାରୀ ଅନ୍ୟ ସିଟ୍ରେ ବସାଇଥିଲେ। ବୟସ୍କା ମହିଳା ତାଙ୍କ ପତ୍ରରେ ବିମାନର କ୍ରିଉ ମେମ୍ବରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ମାମଲାରେ ଏୟାର ଇଣ୍ଡିଆ ମହିଳା ଯାତ୍ରୀଙ୍କ ଟିକେଟ୍ ବାବଦ ଅର୍ଥ ଫେରସ୍ତ କରିଦେଇଥିବା ଡିଜିସିଏଙ୍କୁ ସୂଚିତ କରିଛନ୍ତି। ଏୟାର ଇଣ୍ଡିଆ ଏବେ ଏହି ମାମଲାକୁ ସମାଧାନ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି।