ଋଷ ଠାରୁ ତେଲ କିଣି ଠିକ୍ କରୁଛି ଭାରତ: ଗୀତା ଗୋପୀନାଥନ
14/12/2022 at 10:35 PM

ନୂଆଦିଲ୍ଲୀ: ଋଷ ଠାରୁ ଭାରତର ତୈଳ ଆମଦାନୀକୁ ଠିକ୍ ବୋଲି କହିଲେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)ର ପ୍ରଥମ ଡେପୁଟି ମ୍ୟାନେଜର ଗୀତା ଗୋପୀନାଥନ।। ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ଗୋପୀନାଥନ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି।
ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ବୈଶ୍ୱିକ ଦୃଷ୍ଟିକୋଣରୁ ବଜାରରେ ବହୁ ପରିମାଣରେ ତୈଳ ରପ୍ତାନୀ ହେବା ଖୁବ୍ ଆବଶ୍ୟକ। ଆଉ ଏହି ସମୟରେ ଋଷ ଠାରୁ ଭାରତର ତେଲ କିଣିବା ବର୍ତ୍ତମାନ ଆମେରିକା ଓ ୟୁରୋପର ରଣନୀତି ଭଳି।
ଗୋପୀନାଥନ କହିଛନ୍ତି “ବର୍ତ୍ତମାନ ବଜାରରେ ତୈଳ ରପ୍ତାନୀର ଆବଶ୍ୟକତା ରହିଛି। ଯଦି ଭାରତ ଭଳି ରାଷ୍ଟ୍ର କମ୍ ମୂଲ୍ୟରେ ତୈଳ ଆମଦାନୀ କରିପାରୁଛି ତେବେ ମୋତେ ଲାଗୁଛି ଯେ ସମ୍ପୂର୍ଣ୍ଣ ଠିକ୍ ହେଉଛି।” ଚଳିତ ଡିସେମ୍ବର ମାସରେ ଜି-୭ରେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ଋଷ ତେଲ ଉପରେ ବ୍ୟାରେଲ ପ୍ରତି ୬୦ ଡଲାର ପ୍ରାଇସ୍ କ୍ୟାପ୍ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ଭାରତ ଏଥିରେ ସହମତି ପ୍ରକାଶ କରି ନଥିଲା। ଫଳରେ ଋଷ ଏହି ପ୍ରାଇସ୍କ୍ୟାପ୍ରୁ ଭାରତକୁ ସହଯୋଗ କରିବ ବୋଲି ପ୍ରସ୍ତାବ ବି ଦେଇଥିଲା।
ସୂଚନା ଥାଉକି ଋଷ ଠାରୁ ଭାରତର ତୈଳ ଆମଦାନୀ ୨୦୨୨ର ପ୍ରଥମ ୮ ମାସରେ ୧୬.୩୫ ମିଲିୟନ ଟନକୁ ବୃଦ୍ଧି ପାଇଛି। ଖରା ସମୟରେ ଋଷ ଭାରତର ଦ୍ୱିତୀ ସର୍ବାଧିକ ତୈଳ ରପ୍ତାନୀକାରି ସହଯୋଗୀ ହୋଇପାରିଥିଲା।