ସାବାଡ଼ ହେବେ ସରପଞ୍ଚ ! ଏଣିକି ଲୋକେ ଚାହିଁଲେ କାର୍ଯ୍ୟକାଳ ଶେଷ ପୂର୍ବରୁ ହେବେ ବିଦା
7/11/2020 at 5:33 PM

ଚଣ୍ଡିଗଡ଼ ୭/୧୧: ଏଣିକି ଲୋକଙ୍କ ହାତରେ ସରପଞ୍ଚଙ୍କ ଭାଗ୍ୟ। ସରପଞ୍ଚ ଲୋକଙ୍କ କାମ ନକଲେ ସମୟ ପୂର୍ବରୁ ଛାଡ଼ିବେ ପଦ। ଏଭଳି ଏକ ବିଲ୍ ହରିୟାଣା ବିଧାନସଭାରେ ପାସ୍ ହୋଇଛି। ପଞ୍ଚାୟତି ରାଜ୍ ଆକ୍ଟରେ ସଂଶୋଧନ ପାଇଁ ବିଧେୟକ ପାସ୍ କରିଛନ୍ତି ହରିୟାଣା ସରକାର। ରାଇଟ୍ ଟୁ ରିକଲ୍ ସମେତ ୩ଟି ମୁଖ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର।
ଶୁକ୍ରବାର ଦିନ ଉପ ମୁଖ୍ୟମନ୍ତ୍ରୀ ଏଭଳି ଏକ ବିଧେୟକ ବିଧାନସଭାରେ ରଖିଥିଲେ। ତେବେ ଏହାକୁ ମଞ୍ଜୁରି ମିଳିଥିବା ବେଳେ ଏବେ ଏହା ନିୟମରେ ପରିଣତ ହେବାକୁ ଯାଉଛି। ‘ରାଇଟ୍ ଟୁ ରିକଲ୍’ ନିୟମ ଅନୁସାରେ ସରପଞ୍ଚ, ଜିଲ୍ଲା ପରିଷଦ କାର୍ଯ୍ୟ ନକଲେ ସୋମନଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସେମାନଙ୍କୁ ହଟାଇବା ପାଇଁ ଗାଁ ଲୋକଙ୍କୁ ଅଧିକାର ମିଳିବ।
ସରପଞ୍ଚ କାର୍ଯ୍ୟ ନକରିବା ସହ ମନମାନୀ କରୁଥିବା ନେଇ ଅନେକ ଅଭିଯୋଗ ଆସୁଛି। ବ୍ଲକ୍ ସ୍ତରରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଏଭଳି ଅଭିଯୋଗ ଆସିବା ପରେ ‘ରାଇଟ୍ ଟୁ ରିକଲ୍’ ନିୟମର ଆବଶ୍ୟକତା ପଡ଼ିଲା। ଏହି ନିୟମ ମାଧ୍ୟମରେ ସରପଞ୍ଚ ବିକାଶମୂଳକ କାର୍ଯ୍ୟ ନକଲେ ଗ୍ରାମବାସୀ ତାଙ୍କୁ ପଦରୁ ହଟାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି।
‘ରାଇଟ୍ ଟୁ ରିକଲ୍’ ନିୟମ ଅନୁସାରେ ଜଣେ ବ୍ୟକ୍ତି ସରପଞ୍ଚ ହେବାର ବର୍ଷେ ପରେ ହିଁ ଏହା ଲାଗୁ ହେବ। ବର୍ଷକ ପରେ ଯଦି ତାଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ୩୩ ପ୍ରତିଶତ ମତଦାତା ଉପରିସ୍ଥ ଅଧିକାରୀଙ୍କୁ ଜଣାନ୍ତି ତେବେ ଗାଁରେ ଏକ ବୈଠକ ଆୟୋଜନ ହେବ। ଏହାପରେ ଏକ ଭୋଟ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଯଦି ୬୭ ପ୍ରତିଶତ ଲୋକ ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ଭୋଟ ଦିଅନ୍ତି ତେବେ ତାଙ୍କୁ ଗାଦି ଚ୍ୟୁତ କରାଯିବ। ଯଦି ଅବିଶ୍ବାସ ପ୍ରସ୍ତାବ ଆସିବା ପରେ ଦୁଇ ତୃତୀୟାଂଶ ଭୋଟ୍ ସରପଞ୍ଚଙ୍କ ବିରୋଧରେ ନପଡ଼େ ତେବେ ତାଙ୍କ ବିରୋଧରେ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ‘ରାଇଟ୍ ଟୁ ରିକଲ୍’ ଲାଗୁ ହୋଇପାରିବ ନାହିଁ।