କାକିନାଡ଼ା ଉପକୂଳରେ ‘ଗୋଲ୍ଡ ରସ୍’, ସମୁଦ୍ର ବେଳାଭୂମିରେ ସୁନା ଖୋଜୁଛନ୍ତି ଦଳଦଳ ଲୋକ

Published By : Prameya-News7 Bureau | November 28, 2020 IST

ୟୁ କୋଠପଲ୍ଲୀ ୨୮।୧୧:  ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣ ଉପକୂଳରେ ତାଣ୍ଡବ ରଚିଥିଲା। କ୍ରମଶଃ ବାତ୍ୟା ଦୁର୍ବଳ ହୋଇଥିବା ବେଳେ ବର୍ଷା ମଧ୍ୟ ଥମିଛି। ତେବେ ପୂର୍ବଗୋଦାବରୀ ଜିଲ୍ଲୀ ୟୁ କୋଠପଲ୍ଲୀ ବ୍ଲକ ସମୁଦ୍ର କୂଳରେ ଏବେ ଦଳଦଳ ଲୋକ ବିସ୍ତିର୍ଣ୍ଣ ବେଳାଭୂମି ସାଉଁଟୁଥିବା ଦେଖାଯାଇଛି। ଗତ ଦୁଇ ଦିନ ହେଲା ସକାଳୁ ସଞ୍ଜ ଯାଏଁ ଲୋକେ ବେଳାଭୂମିରେ ସୁନା ଖୋଜୁଛନ୍ତି। 

ଉପ୍ପଡା ଓ ସୁରଡାପେଟା ଗାଁ ଲୋକେ ଗତ ଦୁଇ ଦିନ ହେଲା କୋହଲା ପାଗ ଓ ଝିପିଝିପି ବର୍ଷା ସତ୍ତ୍ୱେ ସମୁଦ୍ର କୂଳରେ ଭିଡ ଲଗାଇଛନ୍ତି। ସୂଚନା ଅନୁସାରେ ବାତ୍ୟା ଥମିବା ପରେ ଶୁକ୍ରବାର ସକାଳେ କିଛି ମତ୍ସ୍ୟଜୀବି ସମୁଦ୍ରକୂଳକୁ ଆସିଥିଲେ। ଯେଉଁମାନେ ବାଲିରୁ କିଛି ସୁନା ଭଳି ଚିକ୍ ଚିକ୍ ଦେଖାଯାଉଥିବା ସାମଗ୍ରୀ ପାଇଥିଲେ। ଯାହାକୁ ସେମାନେ ବିକିଥିବା ଜଣାପଡିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଦଳ ଦଳ ଗାଁ ଲୋକେ ସମୁଦ୍ର କୂଳକୁ କୁଲା, ବାଉଁସିଆ, ଛାଞ୍ଚୁଣୀ ଓ ଚଲଣା ଧରି ପହଞ୍ଚିବା ସହ ସମଗ୍ରଉପକୂଳରେ ସୁନା ଖୋଜିବାରେ ଲାଗିଛନ୍ତି।

ଏଥିରୁ କିଛି ଲୋକେ ସୁନା ପାଇଥିବାର କହୁଛନ୍ତି। ତେବେ ସତ କି ମିଛ ତାହା ଜଣାପଡିନାହିଁ। ହେଲେ ଲୋକେ ଏବେ ମଧ୍ୟ ସେଠାରେ ସୁନା ଖୋଜିବାରେ ବ୍ୟସ୍ତ ଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତୀର୍ଥଯାତ୍ରୀମାନେ ସମୁଦ୍ରରେ ଗାଧୋଇବା ବେଳେ କିଛି ସୁନା ଦାନ କରିଥାନ୍ତି। ଏଥିଲାଗି ସେମାନେ ସାଥୀରେ ଛୋଟଛୋଟ ସୁନା ମଧ୍ୟ ଆଣିଥାନ୍ତି। ଘୂର୍ଣ୍ଣିବାତ୍ୟାରେ ସମୁଦ୍ର ଜୁଆରିଆ ଥିବାରୁ ଏପରି ସାମଗ୍ରୀ ଜୁଆରରେ କୂଳକୁ ଭାସି ଆସୁଥିବାର ଅନୁମାନ କରାଯାଉଛି। ଯାହାକୁ ଲୋକେ ଖୋଜିବାରେ ଲାଗିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.