ରାଇରଙ୍ଗପୁର ୧୬/୧୨: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସମ୍ମୁଖ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବା ଯୋଗୁଁ ଉକ୍ତ ସ୍ଥାନରେ ଏକ ଗଳାପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବିକରି ଆସୁଛନ୍ତି। ତେବେ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିନାହିଁ।
ଏ ନେଇ ପୁଣି ଥରେ ବିଶୋଇ ୟୁଥ୍ ମାସ୍ ଓ ଗ୍ରାମବାସୀ ମିଳିତ ହୋଇ ବିଶୋଇ ବ୍ଲକ ସମ୍ମୁଖରେ ଯଥାଶୀଘ୍ର ଏକ ଗଳାପୋଲ ନିର୍ମାଣ କରିବା ପାଇଁ ବିଶୋଇ ତହସିଲ ଅଫିସ ଘେରାଉ କରିବା ସହିତ ତହସିଲ ଅଫିସ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ବିଶୋଇ ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର ଗଳାପୋଲ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଦାବି କରିଥିଲେ।
ତା ସହିତ ପ୍ରତିଶ୍ରୁତି ନ ମିଳିଲେ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ପରେ ବିଶୋଇ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ଗଳାପୋଲ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଜମି ଚିହ୍ନଟ କରି ପୋଲ ନିର୍ମାଣକାରୀ ସଂସ୍ଥାକୁ ହସ୍ତାନ୍ତର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେପଟେ ଗଣଧାରଣାକୁ ଦୃଷ୍ଟିରେ ରଖି ବିଶୋଇ ଥାନା ପୋଲିସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।