କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କଠାରେ ଦେଖା ଯାଉଛି Guillain-Barre Syndrome

Published By : Prameya-News7 Bureau | December 23, 2020 IST

ଅହମ୍ମଦାବାଦ  ୨୩।୧୨: ସାରା ଦେଶରେ କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ମୁକାବିଲା ଲାଗି ଭାକ୍ସିନ ବିକଶିତ ହୋଇଥିଲେ ବି ଏପର୍ଯ୍ୟନ୍ତ ସାମୂହିକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇନି। ଏଥିରେ କରୋନାରୁ ନିକଟ ଅତୀତରେ ସୁସ୍ଥ ହୋଇଥିବା ଲୋକେ ମ୍ୟୁକୋସଲ ମାଇକୋସିସ୍‌ ଓ ଗୁଲିୟନ-ବାର୍ରେ ସିଣ୍ଡ୍ରୋମ ଭଳି ମାରାତ୍ମକ ଶାରିରୀକ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ମିଳୁଛି। ଅହମ୍ମଦାବାଦ ଓ ରାଜକୋଟରେ ଏଭଳି ଅନେକ ଅଭିଯୋଗ ମିଳୁଥିବାର ଡାକ୍ତରମାନେ ସୂଚିତ କରିଛନ୍ତି। କେବଳ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏବେ ଗୁଲିୟନ-ବାର୍ରେ ସିଣ୍ଡ୍ରୋମ ଆକ୍ରାନ୍ତ୧୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ସିଭିଲ ହସ୍ପିଟାଲ ଅଧିକ୍ଷକ ଡା. ଜେ.ପି.ମୋଦିଙ୍କ ସୂଚନା ଅନୁସାରେ ହସ୍ପିଟାଲରେ ରହି କୋଭିଡରୁ ସୁସ୍ଥ ହୋଇଫେରିଥିବା ୧ ହଜାର ରୋଗୀଙ୍କ ମଧ୍ୟରୁ ମାତ୍ର  କିଛି ଲୋକଙ୍କ ଠାରେ ଏଭଳି ରୋଗର ଲକ୍ଷଣ ଦେଖାଯାଇଛି। ତେବେ ଏହା ନୂଆ ରୋଗ ନୁହେଁ ବୋଲି ଡା. ମୋଦି କହିଛନ୍ତି। ଏହା ମଧ୍ୟ ଏକ ଭୂତାଣୁ ସଂକ୍ରମଣ। କୋରନାରୀ ଧମନୀ ରୋଗରେ ଶରୀର ପକ୍ଷାଘାତର ଶିକାର ହୁଏ ଅଥବା ଗୋଡରେ ଦୁର୍ବଳତା ଆସିଥାଏ। ଏହାକୁ ଗୁଲିୟନ-ବାର୍ରେ ସିଣ୍ଡ୍ରୋମ କୁହାଯାଏ।

ଏହା ଶରୀରର ସମ୍ପୂର୍ଣ୍ଣ ସ୍ନାୟବିକ ତନ୍ତ୍ରକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ପକ୍ଷାଘାତ ଅଥବା ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇପାରେ। କୋଭିଡ-୧୯ ଚିକିତ୍ସାରେ ଟକ୍ସିଲିଜୁମାବ ଓ ରେମଡିଶେଭର ଇଞ୍ଜେକ୍ସନ ଉପଯୋଗ ହେତୁ ଶରୀରର ପ୍ରତିରକ୍ଷା ତନ୍ତ୍ର ଦୁର୍ବଳ ହୋଇପଡିବାରୁ ଏପରି ହେଉଥିବା ଡାକ୍ତରମାନେ କହିଛନ୍ତି। କରୋନା ମୁକ୍ତ ହେବାର ୨ରୁ ୬ ସପ୍ତାହରେ ଶରୀରରେ ଗୁଲିୟନ-ବାର୍ରେ ସିଣ୍ଡ୍ରୋମ ଲକ୍ଷଣ ପ୍ରକାଶ ପାଇବା ସହ ବଢିବାରେ ଲାଗିଥାଏ।

ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ୨ ମାସରେ ଏପରି ଲକ୍ଷଣ ନେଇ ୪୪ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଏପରି ଲୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଛି। କରୋନା ପରେ ଅନେକ ଲୋକେ ମ୍ୟୁକୋସଲ ମାଇକୋସିସ୍‌ରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏପରି ୧୯ ଜଣ ରୋଗୀ ସେମାନଙ୍କ ଦୃଷ୍ଟି ଶକ୍ତି ହରାଉଥିବା ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.