ଲୋକେ Live ଦେଖିବେ ସୁପରଟେକ୍ ଟ୍ୱିନ୍‌ ଟାୱାର ବିଧ୍ୱଂସର ଦୃଶ୍ୟ, ବୁକ୍ କରିସାରିଲେଣି ଆଖପାଖ ଘରର ବାଲକୋନୀ

Published By : Prameya-News7 Bureau | August 27, 2022 IST

ନୋଏଡା ୨୭।୮: ଅଗଷ୍ଟ ୨୮ ତାରିଖ ରବିବାର ଅପରାହ୍ନରେ ଉତ୍ତରପ୍ରଦେଶ ନୋଏଡାସ୍ଥିତ ସୁପରଟେକ୍‌ ଟ୍ୱିନଟାୱାରକୁ ମାଟିରେ ମିସାଇ ଦିଆଯିବ। ଏଥିଲାଗି ସବୁ ପ୍ରସ୍ତୁତି ସରିଛି। ଯେଉଁଠି ଟାୱାର ବିଧ୍ୱଂସ ହେବ ତାର ଆଖପାଖ ଘରଗୁଡିକୁ ରବିବାର ସକାଳ ସୁଦ୍ଧା ଖାଲି କରାଇ ଦିଆଯିବ। ଏଥିପାଇଁ ଶନିବାର ମଧ୍ୟହ୍ନରୁ ଘରଖାଲି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଆଖପାଖରେ ଥିବା ଅନ୍ୟ ସୋସାଇଟିର ଯେଉଁ ଘରଗୁଡିକରୁ ଟ୍ୱିନ୍‌ ଟାୱାରକୁ ସ୍ପଷ୍ଟ ଦେଖି ହେଉଛି ସେହି ସବୁ ଘରର ବାଲକୋନୀ ଏବେ ବୁକ୍ ହୋଇ ଗଲାଣି।

ଭାରତ ଇତିହାସରେ ପ୍ରଥମ ଥର ଏହି ଡେମୋଲିସନ ହେବାକୁ ଯାଉଥିବା ବେଳେ ଲୋକେ ଏହାର ପ୍ରତ୍ୟକ୍ଷ ଅନୁଭୂତି କରିବାକୁ ଚାହୁଁଛନ୍ତି। ଏଣୁ ଯେଉଁ ସୋସାଇଟିରେ ଘର ଗୁଡିକର ବାଲକୋନୀ ଓ ଝରକା  ଟ୍ୱିନ୍‌ ଟାୱାର ଆଡକୁ ମୁହଁ କରି ରହିଛି ସେଥିରେ ରହୁଥିବା ଲୋକଙ୍କ ସମ୍ପର୍କୀୟମାନେ ଏହି ଦୃଶ୍ୟ ଦେଖିବା ପାଇଁ ଶନିବାରଠାରୁ ସମ୍ପର୍କୀୟକୁ କହି ରଖିଲେଣି। ରବିବାର ଛୁଟି ଦିନ ହୋଇଥିବାରୁ ଲୋକଙ୍କ ଘରେ ଭିଡ ଜମିବ ବୋଲି ଏବେଠୁ ସ୍ପଷ୍ଟ ହୋଇଗଲାଣି।

{"id":676964,"width":840,"height":517,"sizeSlug":"full","linkDestination":"none"}

ଅପରାହ୍ନ ୨ଟା ୩୦ ମିନିଟରେ ଟ୍ୱିନ ଟାୱାରର ବିଧ୍ୱଂସ ପ୍ରକ୍ରିୟା ଆରମ୍ଭ ହେବ। ଜୀବନରେ ଥରଟିଏ ହେଉଥିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ହେବା ଲାଗି ଲୋକଙ୍କ ମନରେ ବେଶ୍ ଆଗ୍ରହ ଦେଖା ଦେଇଛି। ଲୋକେ ଦୂରବିକ୍ଷଣ ଓ ଦୂରରୁ ଦୃଶ୍ୟର ଭିଡିଓ ସୁଟିଂ କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିସାରିଛନ୍ତି। ତେବେ ରବିବାରର ଏହି କାର୍ଯ୍ୟାନୁଷ୍ଠାନ ଲାଗି ସହରର ଜାଗା ଜାଗାରେ ଟ୍ରାଫିକ କଟକଣା ଲୋକଙ୍କ ପ୍ଲାନକୁ ଫେଲ କରିପାରେ ବୋଲି ଆକଳନ କରାଯାଉଛି।

ଟ୍ୱିନ ଟାୱାରକୁ ମୁହଁ କରି ରହିଥିବା ଏପରି ଏକ ସୋସାଇଟି ହେଉଛି ଏଟିଏସ୍ ହେମଲେଟ୍। ଏଥିରେ ରହୁଥିବା ଆଲୋକ ସହଦେବଙ୍କ ୭ ବର୍ଷର ନାତି ଟାୱାର ବିଧ୍ୱଂସ ଦେଖିବା ଲାଗି ଦୁରବିକ୍ଷଣ ସହ ତା ପିତାମାତାଙ୍କ  ସାଙ୍ଗରେ ଗୁଡଗାଓଁରୁ ଆସୁଥିବା ସହଦେବ କହିଛନ୍ତି। ଏହା ଛଡା ଆମେରିକାରେ ରହୁଥିବା ସମ୍ପର୍କୀୟଙ୍କୁ ସହଦେବ ଘଟଣାର ଲାଇଭ ଭିଡିଓ ଟେଲିକାଷ୍ଟ କରିବାକୁ ସବୁ ବ୍ୟବସ୍ଥା କରି ରଖିଥିବା କହିଛନ୍ତି। କେବଳ ସହଦେବ ନୁହନ୍ତି ସେକ୍ଟର ୧୦୪ର ଏଟିଏସ୍ ହେମଲେଟ ସମେତ ସେକ୍ଟର ୯୩ଏର ପାର୍ଶ୍ୱନାଥ ପ୍ରେଷ୍ଟିଜ୍ ଓ ଅନ୍ୟ ସୋସାଇଟିର ଲୋକେ ସେମାନଙ୍କ ବାଲକୋନୀକୁ ଲୋକଙ୍କୁ ଭଡାରେ ଦେଇ ସାରିଲେଣି।

{"id":676965,"width":843,"height":632,"sizeSlug":"full","linkDestination":"none"}

ଏଡିଫିସ୍ ଇଞ୍ଜିନିୟରିଂ କମ୍ପାନୀ ଏହି ଐତିହାସିକ ଡେମୋଲିସନର କାମ ନେଇଛି। ଏଥି ପାଇଁ  ସୁପରଟେକ୍ ଟ୍ୱିନ୍‌ ଟାୱାର ଆଖପାଖରେ ଥିବା ଏମରଲ୍ଡ କୋର୍ଟର ୬୬୦ ଘର, ଏଟିଏସ୍ ଭିଲେଜର ୭୬୨ ଘରକୁ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଖାଲି କରାଇ ଦିଆଯିବ ବୋଲି ଜଣାପଡିଛି। ସେହିପରି ଏହି ସବୁ ହାଉସିଂ ସ୍କିମରେ ରହୁଥିବା ଲୋକଙ୍କ ଗାଡି ଓ ଅନ୍ୟ ଯାନବାହନକୁ ଦୂରରେ ପାର୍କିଂ କରାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଆଖପାଖର ବାଗ ବଗିଚା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.