ଆଗକୁ ସାଂଘାତିକ ହେବ ସ୍ଥିତି ; ୨୦୫୦ ବେଳକୁ ୬୫ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା ଦୁଇଗୁଣ ହେବ, ଅଫିସର କାର୍ଯ୍ୟକାଳ ବଢି ହାରାହାରି ୩୬ ବର୍ଷ ହେବ
20/08/2022 at 11:06 PM

ନୂଆଦିଲ୍ଲୀ: ଚାକିରିରୁ ଅବସର ନେବା ପରେ ଅନେକ ଲୋକ ଘରେ ବସି ବାକି ଜୀବନକୁ ଉପଭୋଗ କରିବାକୁ ପସନ୍ଦ କରନ୍ତି। ତେବେ ଏ ଅବସ୍ଥା ସବୁ ସ୍ଥିତିରେ ସମାନ ନଥାଏ । ଯଦି ପେନ୍ସନ ଚଳିବାକୁ ମୁତାବକ ମିଳୁ ନଥାଏ, ତେବେ ବୟସରେ ଅପରାହ୍ନରେ ବି ମଣିଷ କାମ ଖୋଜିବାକୁ ବାହାରି ପଡ଼େ ବିନା ଦ୍ୱିଧାରେ। ଆଉ କେହି କେହି ଅବସର ପରେ ଘରେ ବସି ବୋର୍ ହେବା ପରେ ପୁଣିଥରେ ସେହି ପୁରୁଣ ଅଫିସ୍ ଯାଇ କାମ କରିବାକୁ ନିଜର ସମୟ କାଟନ୍ତି।
ଭାରତରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। ହେଲେ ୟୁରୋପ ଦେଶଗୁଡ଼ିକର ପରବର୍ତ୍ତି ପିଢ଼ି ଆଗାମୀ ଦିନରେ ନିଜ ଜୀବନର ହାରାହାରି ୩୬ ବର୍ଷ କାମ କରିବେ। ତେବେ ସବୁ ଦେଶରେ ସମାନ ସ୍ଥିତି ନାହିଁ। ବିଭିନ୍ନ ଦେଶରେ ଭିନ୍ନ କାର୍ଯ୍ୟ ଶୈଳୀ ରହିଛି। ୨୦୦୧ ଠାରୁ ୟୁରୋପରେ କାର୍ଯ୍ୟକାଳ ସମୟ ବଢ଼ି ଚାଲିଛି। ୟୁରୋପିୟନ କମିଶନ ଡାଟା ସର୍ବିସ ୟୁରୋଷ୍ଟାଟ ଅନୁସାରେ, ୨୦୨୦ କୋଭିଡ୍ ସମୟରେ ଏହି ସୀମା ସାମାନ୍ୟ କମିଥିଲା, ହେଲେ ଏବେ ପୂର୍ବ ଭଳି ସ୍ଥିତି ଫେରି ଆସିଛି। ୨୦୨୧ରେ ଯେଉଁମାନଙ୍କ ବୟସ ୧୫ ବର୍ଷ ହୋଇଥିବା ସେମାନଙ୍କର କାର୍ଯ୍ୟକାଳ ହାରାହାରି ୩୬ ବର୍ଷ ହେବ ବୋଲି ଇୟୁ କହିଛି।
ନେଦରଲ୍ୟାଣ୍ଡର ଲୋକଙ୍କୁ ସର୍ବାଧିକ ସମୟ କାମ କରିବାକୁ ପଡ଼ିବ। ସେମାନେ ନିଜ ଜୀବନର ୪୨.୫ ବର୍ଷ କାମ କରିବେ। ସେହିପରି ସ୍ୱିଡେନର ଲୋକମାନଙ୍କୁ ମଧ୍ୟ ୪୨.୩ ବର୍ଷ, ଏବଂ ଡେନ୍ମାର୍କର ଲୋକଙ୍କୁ ୪୦,୩ ବର୍ଷ କାମ କରିବାକୁ ହେବ। ଇୟୁ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରୋମାନିଆନ ଲୋକମାନଙ୍କ ପାଇଁ ଖୁବ୍ କମ ସୟର କାର୍ଯ୍ୟକାଳ ରହିଛି। ସେମାନେ ହାରାହାରି ୩୧.୩ ବର୍ଷ ଯାଏ କାମ କରିବେ। ଇଟାଲୀମାନେ ମଧ୍ୟ ୩୧.୬ ଓ ଗ୍ରୀକ୍ ୩୨.୯ ବର୍ଷ କାମ କରିବେ ବୋଲି ଅନୁମାନ କରାଯାଇଛି।
ତେବେ କେବଳ ୟୁରୋପୀୟ ଦେଶଗୁଡ଼ିକର ଲୋକମାନେ ଯେ ଆଗକୁ ଅଧିକ ବର୍ଷ କାମ କରିବେ ତାହା ନୁହେଁ ଅନ୍ୟ ଦେଶର ଲୋକମାନଙ୍କର ଅବସ୍ଥା ବି ସମାନ ହେବ। କାରଣ ଜନସଂଖ୍ୟାରେ ପରିବର୍ତ୍ତନ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କୁ କାର୍ଯ୍ୟ ଦିବସ ବୃଦ୍ଧି କରିବା ନେଇ ଚିନ୍ତା କରିବାକୁ ବାଧ୍ୟ କରିବ। ୟୁରୋପୀୟ ୟୁନିୟନ ଦେଶ ହେଉ କି ଚୀନ ଏଠାରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗକୁ ବିଶ୍ୱ ସ୍ତରରେ ଏହି ସମସ୍ୟା ଦେଖାଦେବ। ୨୦୫୦ ବେଳକୁ ୬୫ ବର୍ଷୀୟ ଲୋକଙ୍କ ସଂକ୍ୟା ଦୁଇଗଣ ହୋଇଯିବ ବୋଲି ଆକଳନରୁ କୁହାଯାଇଛି।