ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ସେୟାର ବଜାରକୁ ନେଇ ଦେଇଥିବା ଟିପ୍ପଣୀକୁ ନେଇ ଟାର୍ଗେଟ୍ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଲୋକଙ୍କୁ ନିବେଶ କରିବା ପାଇଁ କାହିଁକି ପରାମର୍ଶ ଦେଲେ ? ପୁରା ମାମଲାକୁ ଦୁର୍ନୀତି ଦର୍ଶାଇ ରାହୁଲ ଗାନ୍ଧୀ ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବି କରିଛନ୍ତି।
ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଥମ ଥର ଆମେ ଦେଖିଲୁ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ସେୟାର ବଜାରରେ ଟିପ୍ପଣୀ କରୁଛନ୍ତି। ପ୍ରଧାନମନ୍ତ୍ରୀ ଦୁଇ ଚାରି ଥର କହିଛନ୍ତି ଆଗାମୀ ସମୟରେ ଷ୍ଟକ ମାର୍କେଟ୍ ଦ୍ରୁତ ଗତିରେ ଆଗକୁ ବଢିବାକୁ ଯାଉଛି। ଗୃହ ମନ୍ତ୍ରୀ ସିଧାସଳଖ କହିଥିଲେ ଜୁନ ୪ ତାରିଖରେ ଷ୍ଟକ ମାର୍କେଟ୍ ଉପରମୁହାଁ ହେବ। ଏଥିପାଇଁ ସେୟାର କିଣିବା ଉଚିତ୍। ଏହି ବାର୍ତ୍ତା ଅର୍ଥମନ୍ତ୍ରୀ ମଧ୍ୟ ଦେଇଥିଲେ। ଆଉ ଜୁନ ୪ ତାରିଖରେ ନିବେଶକ ଏହାର ପରିଣାମ ଭୋଗିଛନ୍ତି।
Also read: ଟିଏମ୍ସି ସହ ଯୋଗାଯୋଗରେ ଅଛନ୍ତି ୩ ବିଜେପି ସାଂସଦ, ଅଭିଯୋଗକୁ ଖଣ୍ଡନ କଲା ଦଳ
ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନର ଭୋଟିଂ ପରେ ହୋଇଥିବା ଏକଜିଟ୍ ପୋଲ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଜୁନ ୧ ତାରିଖରେ ଗଣମାଧ୍ୟମ ମିଛ ଏକଜିଟ୍ ପୋଲ୍ ପ୍ରକାଶ କରିଥିଲା। ବିଜେପି ଯେଉଁ ସର୍ଭେ କରିଥିଲା, ସେଥିରେ ଦଳକୁ ୨୨୦ ସିଟ୍ ମିଳୁଥିଲା। ମେ ୩ ତାରିଖରେ ଷ୍ଟକ ମାର୍କେଟ୍ ସମସ୍ତ ରେକରଡ ଭାଙ୍ଗି ଦେଉଛି, ମାତ୍ର ଜୁନ ୪ ତାରିଖରେ ଧରାଶାୟୀ ହେଉଛି। ଭାରତର ସାଧାରଣ ଜନତା ଜୁନ ୪ ତାରିଖର ସେୟାର ବଜାରରେ ୩୦ ଲକ୍ଷ କୋଟି ଟଙ୍କା ହରାଇ ଦେଲେ ବୋଲି ରାହୁଲ କହିଛନ୍ତି।
ରାହୁଲ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସେୟାର ବଜାରରେ ନିବେଶ କରୁଥିବା ୫ କୋଟି ପରିବାରକୁ ବିଶେଷ ପରାମର୍ଶ କାହିଁକି ଦେଲେ ? କଣ ଲୋକଙ୍କୁ ନିବେଶ ପାଇଁ ପରାମର୍ଶ ଦେବା ତାଙ୍କ କାମ ? ଦୁଇଟି ସାକ୍ଷାତକାର ଗୋଟିଏ ମିଡିଆ ହାଉସ୍କୁ କାହିଁକି ଦେଲେ , ଯାହାର ସ୍ଵାମିତ୍ଵ ଗୋଟିଏ ଉଦ୍ୟୋଗ ସମୂହ ପାଖରେ ରହିଛି। ଯାହାଙ୍କ ଉପରେ ସେୟାର ବଜାରରେ ହେରଫେର କରିବାର ତଦନ୍ତ ଚାଲିଛି। ତେଣୁ ଆମେ ସବୁଠୁ ବଡ଼ ସେୟାର ବଜାରର ଘୋଟାଲାର ଜେପିସି ତଦନ୍ତ ଦାବି କରୁଛୁ ବୋଲି ରାହୁଲ କହିଛନ୍ତି।