'ବିଜେପି ଉପରେ ଜନତାଙ୍କ ଭରସା କାଏମ ରହିଛି, ୩୦୦ ପ୍ଲସ୍ ଆସନ ସହିତ ୟୁପିରେ ସରକାର ଗଢିବୁ'

Published By : Prameya-News7 Bureau | December 21, 2021 IST

ମଉ ୨୧।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ନିଜର ପୂରା ଶକ୍ତି ଲଗାଇ ଦେଇଛି ବିଜେପି। ରାଜନୈତିକ ଦୃଷ୍ଟିକୋଣରୁ ଦେଶର ସବୁଠୁ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ୟୁପିରେ ପୁନର୍ବାର କ୍ଷମତାସୀନ ହେବାକୁ ବିଜେପି ନିଜ ଉଦ୍ୟମରେ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ। ଏହିକ୍ରମରେ ଦଳ ରାଜ୍ୟବ୍ୟାପୀ ଜନ ବିଶ୍ଵାସ ଯାତ୍ରା ବାହାର କରିଛି। ମଙ୍ଗଳବାର ମଉର ଘୋସିରେ ବିଜେପିର ଜନ ବିଶ୍ଵାସ ଯାତ୍ରା ଆୟୋଜିତ ହୋଇଛି। ଏହି ସମୟରେ ୟୁପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି।

ସେ କହିଛନ୍ତି, ଅଖିଳେଶ ଜୀ ଯୋଗୀଙ୍କୁ ଅନୁପଯୋଗୀ କହୁଛନ୍ତି। ଠିକ୍ କଥା, ଯୋଗୀ ଜୀ ଅଖିଳେଶଙ୍କ ପାଇଁ ଅନୁପଯୋଗୀ। କାରଣ ସେ ଗୁଣ୍ଡାଗର୍ଦ୍ଦି କରୁଥିବା ମୁଖତାର ଅଂସାରୀ ଏବଂ ଅତୀକ ଅହମ୍ମଦଙ୍କୁ  ଜେଲ୍‌ରେ ଭର୍ତ୍ତି କରିଦେଲେ। ଏଥିପାଇଁ ସେ ଅନୁପଯୋଗୀ। କାରଣ ସେ ଗରିବଙ୍କ ଜମି ଏବଂ ଚାକିରି ହଡପ କରୁଥିବା ଆଜମ ଖାନଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦେଲେ। ଦଲାଲ ଏବଂ ଗୁଣ୍ଡା, ଅପରାଧି ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ଏହି ସବୁ ଅଖିଳେଶଙ୍କ ନବରତ୍ନ ଥିଲେ। ଏଥିପାଇଁ ଯୋଗୀ ଜୀ ଅଖିଳେଶଙ୍କ ପାଇଁ ଅନୁପଯୋଗୀ। ଆମ ଯୋଗୀ ଜୀ ଗରିବ, ପଛୁଆ, ଦଳିତ, ବଞ୍ଚିତ, ମହିଳା ଏବଂ ଯୁବକଙ୍କ ପାଇଁ ବହୁତ ଉପଯୋଗୀ ଅଛନ୍ତି। କାରଣ ସେ ହିତର କାମ କରିଛନ୍ତି ଏବଂ ସେମାନଙ୍କର ଅଧିକାର ପାଇଁ କାମ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ବିଜେପି ସରକାର ନଥିଲେ କଣ ହୋଇଥାନ୍ତା, ତାହା ପୂରା ରାଜ୍ୟବାସୀ ଜାଣନ୍ତି। କରୋନାରେ ଯେବେ ରାଜ୍ୟର ଗରିବ, ବଞ୍ଚିତ, ପଛୁଆ ଓ ସାଧାରଣ ଲୋକେ ବିପଦରେ ଥିଲେ, ସେହି ସମୟରେ ବିରୋଧୀ ଦଳ ଘରୁ ପାଦ କାଢିନଥିଲେ। ଯଦି କିଏ ସାମ୍ନାକୁ ଆସିଥିଲା, ସେ ହେଉଛି ବିଜେପି ସରକାର। ମୋଦୀ ଜୀ ଏବଂ ଯୋଗୀ ଜୀ ମିଶି ଦେଶ ଏବଂ ରାଜ୍ୟବାସୀଙ୍କ ଚିନ୍ତା କରିଛନ୍ତି। ଜନତାଙ୍କୁ ଭୋଜନ ମିଳିଲା, ସୁରକ୍ଷା ମିଳିଲା, ରୋଜଗାର ମିଳିଲା। ଏହି ସବୁ ଚିନ୍ତା କେବଳ ଆମ ସରକାର କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି, ବିଧାନସଭା ନିର୍ବାଚନ ପୂର୍ବରୁ ଆମେ ନିଜ କାମ ଆଧାରରେ ଜନତାଙ୍କ ଗହଣକୁ ଆସିଛୁ। ଲୋକଙ୍କ ଉତ୍ସାହ ଜଣାଇ ଦେଉଛି ଯେ, ବିଜେପି ଉପରେ ଜନତାଙ୍କ ଭରସା କାଏମ ରହିଛି। ଜନତାଙ୍କ ଆଶୀର୍ବାଦରେ ଆମେ ବିଧାନସଭା ନିର୍ବାଚନରେ ଯୋଗୀ ଜୀଙ୍କ ନେତୃତ୍ଵରେ ଡବଲ ଇଞ୍ଜିନର ୩୦୦ ପ୍ଲସ୍ ଆସନ ସହିତ ପୂର୍ଣ୍ଣ ବହୁମତର ସରକାର ଗଢିବୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.