୩୦ ବର୍ଷ ହେଲା ପାଇଖାନା ପାଣି ପିଉଛନ୍ତି ହସ୍ପିଟାଲର କର୍ମଚାରୀ ଏବଂ ରୋଗୀ, ଏମିତି ହେଲା ଖୁଲାସା

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଲୀ ୧୦/୧୧: ଭାରତରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ କେହି କେହି ଅଭିଯୋଗ କରନ୍ତି। ଏପରିକି ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ କେନ୍ଦ୍ର ସରକାର ସମାଲୋଚନାର ଶିକାର ମଧ୍ୟ ହେଉଛନ୍ତି। କିନ୍ତୁ ଜାପାନ ଭଳି ବିକଶିତ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଆସିଥିବା ବିକଳ ଚିତ୍ର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦେଶରେ ଏକ ସରକାରୀ ହସ୍ପିଟାଲରେ ୩୦ ବର୍ଷ ହେଲା ଲୋକେ ପାଇଖାନା ପାଣି ପିଉଛନ୍ତି ।

ପିଇବା ପାଣି ପାଇପ୍‌ ସହ ଟଏଲଟ୍‌ ପାଇପ୍‌ ସଂଯୋଗ ହୋଇଥିବା ନେଇ ଜଣାପଡ଼ିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସା​ରେ ଏହି ଘଟଣା ଜାପାନର ଓସାକା ବିଶ୍ବବିଦ୍ୟାଳୟ ହସ୍ପିଟାଲରେ ଘଟିଛି । ଜାପାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ହସ୍ପିଟାଲରେ ସମୟ ସମୟରେ ପାଣିର ଯାଞ୍ଚ ହେଉଥିବା ବେଳେ ଏହାର ଗୁଣବତ୍ତା ସମ୍ପର୍କରେ କିଛି ସୂଚନା ଦିଆଯାଉନଥିଲା। କିନ୍ତୁ ନିକଟରେ ପାଣିର ସ୍ବାଦ ଖରାପ ଥିବା ନେଇ ଲୋକ ଅଭିଯୋଗ କରିଥିଲେ। ଏହା ପରେ ପାଣିର ମାନ ପରଖା ଯିବା ପରେ ସବୁ ପୋଲ୍‌ ଖୋଲିଛି ।

ଯାଞ୍ଚ ପରେ ଜଣାପଡ଼ିଛି, ପାଣି ଟାଙ୍କିର କନେକ୍ସନ ଭୁଲ ଥିଲା। ପିଇବା​‌ ପାଣି ପାଇପ୍‌ ଟଏଲେଟ୍‌ ପାଇପ୍‌ ସହ ସଂଯୋଗ ହୋଇଥିଲା। ଏହି ଭୁଲ ସଂଯୋଗ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ହେଲା ହୋଇଥିଲା।  ୧୯୯୩ରେ ହସ୍ପିଟାଲ ଖୋଲିବା ପରଠୁ ହିଁ ଏହି ପାଣି ପାଇପ୍‌ ପାଇଖାନା ପାଇପ୍‌ ସହ ସଂଯୋଗ ହୋଇଥିଲା। ହସ୍ପିଟାଲରେ ଲାଗିଥିବା ୧୨୦ଟି ଟ୍ୟାପ୍‌ରେ ବାହାରୁଥିବା ପାଣି ପାଇଖାନା ପାଣି ବୋଲି ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ହସ୍ପିଟାଲର କର୍ମଚାରୀ, ରୋଗୀ ଗତ ୩୦ ବର୍ଷ ହେଲା ଏହି ପାଣିକୁ ପିଇବା, ଧୋଇବା ଏବଂ ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ବ୍ୟବହାର କରିଆସୁଥିଲେ। ଏନେଇ ଜଣାପଡ଼ିବା ପରେ ହସ୍ପିଟାଲର ନିର୍ଦେଶକ ପୂବତନ କର୍ମଚାରୀ ଏବଂ ରୋଗୀଙ୍କ ନାଁରେ କ୍ଷମାପତ୍ର ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.