ଆଶ୍ରୟସ୍ଥଳ ପରିଚାଳନାରେ ବ୍ୟାପକ ଅବହେଳା, ଭୋକରେ ରହିଲେ ଅନ୍ତେବାସୀ

Published By : Prameya-News7 Bureau | August 13, 2022 IST

ଦେବଗଡ ୧୩/୦୮: ଶୁକ୍ରବାର ସକାଳ ଠାରୁ ଦେବଗଡ ସହରରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳରେ ରହୁଥିବା ଅନ୍ତେବାସୀ ଭୋକରେ ଥିବା ଅଭିଯୋଗ ହୋଇଛି । ଏହି ଆଶ୍ରୟସ୍ଥଳରେ ପ୍ରାୟ ଦଶ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ସାତ ଜଣ ବାହାରେ କାମଧନ୍ଦା କରିବା ସହ ନିଜେ ନିଜର ଭୋଜନ ବ୍ୟବସ୍ଥା କରିଥାନ୍ତି । ସେହିପରି ତିନି ଜଣ ନିରାଶ୍ରୟ ମହିଳା ଓ ପୁରୁଷଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ ।

ଆଶ୍ରୟସ୍ଥଳରେ ରହୁଥିବା ଜଣେ ଅନ୍ତେବାସୀ ରାନ୍ଧିବା ବ୍ୟବସ୍ଥା କରିଥାନ୍ତି । ମାତ୍ର ଗତକାଲି ଠାରୁ ରାନ୍ଧିବା ପାଇଁ ଥିବା ହିଟର ଖରାପ ହୋଇଯାଇଥିବାରୁ ରୋଷେଇ ହୋଇପାରିନଥିବା ଅଭିଯୋଗ ହୋଇଛି । ରୋଷେଇ ହୋଇନଥିବା ଯୋଗୁଁ ଅନ୍ତେବାସୀ ମାନେ ଗତକାଲି ଠାରୁ ଭୋକରେ ରହିଥିବା ସୂଚନା ମିଳିଛି । ପାଖରେ ଥିବା ଜଣେ ଭଦ୍ର ବ୍ୟକ୍ତି ଏ ସମ୍ପର୍କରେ ଜାଣିବା ପରେ ଗତକାଲି ସେମାନଙ୍କ ପାଇଁ କିଛି ଜଳଖିଆ ବ୍ୟବସ୍ଥା କରିଥିଲେ ।

ଅପରପକ୍ଷରେ ଏହି ଆଶ୍ରୟସ୍ଥଳ ଦାୟିତ୍ଵରେ ଥିବା ଦେବଗଡ ପୌର ପରିଷଦର କୌଣସି କର୍ମଚାରୀ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ଦେବଗଡ ସହର ଛଅ ନମ୍ବର ୱାର୍ଡ କଲେଜ ରୋଡରେ ୨୦୧୭ ମସିହାରେ ବାସହୀନମାନଙ୍କୁ ରାତିରେ ଆଶ୍ରୟ ଦେବାପାଇଁ ସହରାଞ୍ଚଳ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା ।

ଦେବଗଡ ପୌର ପରିଷଦ ଏହି ଆଶ୍ରୟସ୍ଥଳ ନିର୍ମାଣ କରିବା ସହ ଏହାର ପରିଚାଳନା ଦାୟିତ୍ୱ ଦି ହ୍ୟୁମାନ୍ ଡେଭଲପମେଣ୍ଟ (ଟିଏଚଡି) ନାମକ ସଂସ୍ଥାକୁ ଦେଇଥିଲେ । ପୌର ପରିଷଦ ପକ୍ଷରୁ ଆଶ୍ରୟସ୍ଥଳ ପରିଚାଳନା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ତେବାସୀ ମାନେ ଚବିଶ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଭୋକରେ ରହିବା ପରିଚାଳନାଗତ ତୃଟି କୁ ପଦାରେ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.