କରୋନାରେ ଦୃଷ୍ଟି ଶକ୍ତି ହରାଉଛନ୍ତି ଲୋକେ, ବ୍ରେନ୍ ଡେଡ୍ ସମ୍ଭାବନା ଅଧିକ, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: କରୋନା ଭାଇରସ ମହାମାରୀର ସ୍ୱାସ୍ଥ୍ୟ ପ୍ରତି ବିପଦ ଧିରେ ଧିରେ ଆକଳନ ହେଉଛି। ଅନେକ କ୍ଷେତ୍ରରେ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ହେଲେ ଅନେକ ଲୋକେ ସଂକ୍ରମିତ ହେବା ପରେ ବି ସୁସ୍ଥ ହୋଇପାରୁଛନ୍ତି। ହେଲେ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରୁ କେତେକ ଏପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହା ଚିକିତ୍ସା ବିଜ୍ଞାନ ଲାଗି ନୂଆ ଚାଲେଞ୍ଜ ଭାବେ ଉଭା ହେଉଛି।

କରୋନାରୁ ସୁସ୍ଥ ହେଉଥିବା ସବୁ ଲୋକେ ଯେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରୁଛନ୍ତି ତା ନୁହେଁ, ଅନେକଙ୍କ ଠାରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ଏଥିରେ ଆଖିର ଦୃଷ୍ଟି ଶକ୍ତି ଚାଲିଯିବା ଭଳି ଏକ ଭୟାନକ ସମସ୍ୟା ସମ୍ପର୍କରେ ପ୍ରଥମ ଥର ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ମନିଷ ମୁଞ୍ଜାଲ ସୂଚନା ଦେଇଛନ୍ତି। ଡା.ମୁଞ୍ଜାଲଙ୍କ ଅନୁସାରେ କରୋନାଭାଇରସ ସଂକ୍ରମିତ ହେଲେ ଶରୀରରେ ମ୍ୟୁକୋରମାଇକୋସିସ୍‌ ନାମକ ଏକ ଘାତକ ଫଙ୍ଗସ ବଂଶ ବିସ୍ତାର କରିବାରେ ଲାଗନ୍ତି। ଏହି ଫଙ୍ଗସ ସଂକ୍ରମିତଙ୍କ ଦୃଷ୍ଟି ଶକ୍ତି ହ୍ରାସ କରିଦିଅନ୍ତି।

ଏହି ପଙ୍ଗସ କରୋନା ଆକ୍ରାନ୍ତଙ୍କ ନାକର ହାଡ ଓ ପାଟିର ଖାଇକୁ ବି ପ୍ରଭାବିତ କରିପାରନ୍ତି। ଏହି ଫଙ୍ଗସ ଯଦି ମସ୍ତିଷ୍କକୁ ପଶି ଯାଏ ମାତ୍ର ୧୫ ଦିନରେ ଏହାକୁ ନଷ୍ଟ କରିଦେଇପାରେ। ଅର୍ଥାତ କରୋନା ଆକ୍ରାନ୍ତଙ୍କ ଠାରେ ବ୍ରେନ ଡେଡ ହେବାର ସମ୍ଭାବନା ଯଥେଷ୍ଠ ଅଧିକ। କରୋନା ଭାଇରସ ସଂକ୍ରମଣ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ।  ମଣିଷର ପ୍ରତିରୋଧୀ ଶକ୍ତି ହ୍ରାସରେ ଫଙ୍ଗସ ଓ କୋଭିଡ ଭୂତାଣୁ ଏକ ହୋଇଗଲେ ଶରୀରରେ ବ୍ୟାପକ କ୍ଷତିକରନ୍ତି।

ଏଥିରେ କରିବେ କ’ଣ?
କରୋନା ଆକ୍ରାନ୍ତଙ୍କ ଆଖି ଓ ଗାଲରେ ଫୁଲା ପଡିଲେ ଅଥବା ନାକ ଚୁଣ୍ଟି ହେଲେ ବା ନାକରେ କଳାକଳା ବହଳା ସିଙ୍ଗାଣୀ ଜମିଲେ ତୁରନ୍ତ ବାୟୋପସୀ କରି ଚିକିତ୍ସା ଆରମ୍ଭ କରିଦେବା ଦରକାର। ସମୟ ପୂର୍ବରୁ ଚିକିତ୍ସା କରାଯାଇପାରିଲେ ଭୂତାଣୁ ଓ ଫଙ୍ଗସ ଦ୍ୱାରା ଶରୀରେ ବଢିବାକୁ ଥିବା କ୍ଷତିକୁ ରୋକା ଯାଇପାରିବ। ସାର ଗଙ୍ଗାରାମ ହସ୍ପିଟାଲରେ ଏପରି ଅନେକ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଭୂତାଣୁକୁ ନେଇ ଆମେ ଯାହାବି ଜାଣିଛେ ତାହା ବହୁତ କମ୍ ଓ ନଗଣ୍ୟ ବୋଲି କୁହାଯାଇପାରେ। ଏଣୁ ସବୁଠୁ ବଡ କଥା ହେଲା ଆମକୁ ସଂକ୍ରମଣରୁ ବର୍ତ୍ତିବା ନିତ୍ୟାନ୍ତ ଜରୁରି। ଏଥିପାଇଁ ଯାହା ଦରକାର ଯେପରି ମାସ୍କ ପିନ୍ଧିବା, ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବ ଓ ଯଦି ବି ଯାଏ ତେବେ ପ୍ରତିବ୍ୟକ୍ତି ଦୂରତା ନିଶ୍ଚିତ ଅବଲମ୍ବନ କରିବା ଜରୁରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.