କୋଇଲା ଧୂଳିରେ ଅଣନିଶ୍ୱାସୀ ଲୋକେ, ଷ୍ଟକୟାର୍ଡ ସ୍ଥାନାନ୍ତରଣ ଦାବିରେ ପଲ୍ୟୁସନ କଣ୍ଟ୍ରୋଲ କାର୍ଯ୍ୟାଳୟ ଘେରାଉ
6/01/2023 at 7:14 PM

ଯାଜପୁର ରୋଡ୍: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମହୁଲମୂଳ ଛକରେ କୋଇଲା ଷ୍ଟକୟାର୍ଡ ବନ୍ଦ ଦାବିରେ ଧାରଣା। ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଧବଳଗିରି ସ୍ଥିତ ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କଳିଙ୍ଗନଗର ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରମୋଦ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ଟମକା ସ୍ଥିତ ମହୁଲମୂଳ ଛକରେ ଏକ କୋଇଲା ଷ୍ଟକୟାର୍ଡ ଖୋଲାଯାଇଛି l ଯାହାଫଳରେ ଏଠାରେ କୋଇଲା ଷ୍ଟକ ପାଇଁ ପ୍ରତ୍ୟେକ ଦିନ ଟମକା ରେଳ ଷ୍ଟେସନରୁ ଶହଶହ ବଡ଼ ବଡ଼ କୋଇଲା ବୋଝେଇ ଟ୍ରକ ଆସୁଛି । ଏହାଯୋଗୁଁ ଧୂଳିଧୂଁଆରେ ସ୍ଥାନୀୟ ଲୋକେ ରହିବା କଷ୍ଟକର ହୋଇ ପଡୁଛି । ତେବେ ଏହି ଷ୍ଟକୟାର୍ଡ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ l ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ଉପରେ ଧ୍ୟାନ ନଦେବାରୁ ଅସଂଝର,ଖଜୁରୀବାଟି,ବଧରସାହି. ଫୁଲଝର ଅଞ୍ଚଳର ଶତାଧିକ ଗ୍ରାମବାସୀ ବ୍ୟାସନଗର ଧବଳଗିରି ସ୍ଥିତ ଜିଲ୍ଲା ପ୍ରଦୂଷଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି l
ସେପଟେ କଳିଙ୍ଗନଗର ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରମୋଦ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଦୂଷଣ ବିଭାଗ ପକ୍ଷରୁ ଏହି ଷ୍ଟକୟାର୍ଡ ବନ୍ଦ କରିବାକୁ ୨୧ ଦିନିଆ ନୋଟିସ ଦିଆଯାଇଥିବା ସୂଚନା ମିଳିଛି ।
ପ୍ରକାଶଯୋଗ୍ୟ ଟମକା ମହୁଲମୂଳ ସାହିରେ ଆଜକୁ ଦୁଇ ବର୍ଷ ହେବ ଏକ କୋଇଲା ଷ୍ଟକୟାର୍ଡ କରାଯାଇଛି l ଏହି ଷ୍ଟକଗାର୍ଡ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଷ୍ଟକୟାର୍ଡ ଗାଁ ଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି । ଯେଉଁଥିପାଇଁ ଧୂଳି ଧୂଁଆରେ ଲୋକେ ହସ୍ତସନ୍ତ ହେଉଛନ୍ତି l