ଆନ୍ଧ୍ରପ୍ରଦେଶ ଏଲୁରୁରେ ବ୍ୟାପୁଛି ରହସ୍ୟମୟ ରୋଗ, ବାନ୍ତିକରି ମୁର୍ଚ୍ଛା ହେଉଛନ୍ତି ଲୋକେ

Published By : Prameya-News7 Bureau | December 06, 2020 IST

ଏଲରୁ ୬।୧୨: ଆନ୍ଧ୍ରପ୍ରଦେଶ  ପଶ୍ଚିମ ଗୋଦାବରୀ ଜିଲ୍ଲା ଏଲୁରୁରେ ଶନିବାର ବିଭିନ୍ନ ହସ୍ପିଟାଲରେ ଭିନ୍ନ ଭିନ୍ନ ସମୟରେ ସବୁ ଆୟୁବର୍ଗର ଶତାଧିକ ଲୋକେ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ଭର୍ତ୍ତିହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ସବୁ ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର କିଛି ସମୟ ପରେ ସୁସ୍ଥ ଅନୁଭବ କରିବାରୁ ଡାକ୍ତର ସେମାନଙ୍କୁ ଡିଶ୍ଚାର୍ଜ କରିଦେଇଛନ୍ତି। ତେବେ ଲୋକେ ଅଚାନକ ଏପରି ରୋଗରେ ଆକ୍ରାନ୍ତ ହେବାର କାରଣ କଣ ହୋଇପାରେ ତାହା ଡାକ୍ତର ମଧ୍ୟ ବୁଝିପାରୁ ନାହାନ୍ତି।

ଲୋକେ ବାନ୍ତି କରି ଅଚେତ ହୋଇଯାଉଥିବା ବେଳେ ସେମାନଙ୍କ ମୁହଁରୁ ଫେଣ ବାହାରୁଛି। ହସ୍ପିଟାଲରେ ସାଧାରଣ ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଉଛନ୍ତି। ଏପରି ଲୋକେ ଓ ପିଲାଙ୍କ କୋଭିଡ ପରୀକ୍ଷଣ ମଧ୍ୟ କରାଯାଇଛି। ହେଲେ ଜଣେବି ପେଜିଟିଭ ଚିହ୍ନଟ ହୋଇନାହାନ୍ତି। ସେମାନଙ୍କ ଶରୀରର ରକ୍ତଚାପ ଓ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷଣ ରିପୋର୍ଟ ମଧ୍ୟ ସଠିକ ଆସିଛି। ଲୋକେ ମାତ୍ର କିଛି ସମୟ ହାରାହାରି ୧୦ରୁ ୧୫ ମିନିଟ୍‌ ତଳେପଡି ଛଟପଟ ହେବା ପରେ ସମ୍ପର୍କୀୟ ସେମାନଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ବେଳେ ଜଟିଳତା କାରଣରୁ ଡାକ୍ତର ସେମାନଙ୍କୁ ହସ୍ପିଟାଲରେ ଆଡମିଟ ମଧ୍ୟ କରିଥିଲେ। ହେଲେ ସମସ୍ତେ ପୁଣି ସ୍ୱଭାବିକ ହୋଇ ଘରକୁ ଫେରିଯାଇଛନ୍ତି।

ସହରର ବିଭିନ୍ନ ହସ୍ପିଟାଲରେ ଏପରି ରୋଗୀଙ୍କୁ ଶନିବାର ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କୌଣସି ରୋଗୀ କାହା ସମ୍ପର୍କୀୟ ନୁହନ୍ତି। ହେଲେ ସମସ୍ତଙ୍କ ଲକ୍ଷଣ ଏକା। ବାନ୍ତି କରି ମୁର୍ଚ୍ଛା ଯାଇଥିଲେ। ଠିକ୍ ଅପସ୍ମାର ଭଳି ଏହି ଲକ୍ଷଣ ଦେଖି ଡାକ୍ତର ମଧ୍ୟ ରୋଗର ସଠିକ କାରଣ ଠଉରାଇ ପାରିନାହାନ୍ତି। କେବଳ ଏଲୁରୁ ନୁହେଁ ବିଶାଖାପାଟଣାର କେତେକ ସ୍ଥାନ ସମେତ କୋଠପେଟା, ପଦମରା ବିଧି, ବଙ୍ଗୟା ଓ ଗୁଡମ ଆଦି ସ୍ଥାନରେ ମଧ୍ୟ ଶନିବାର ସମାନ ସ୍ୱାସ୍ଥ୍ୟଗତ ଜଟିଳତା ଲାଗି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.