ସିଲ୍ ହେଲା ରଙ୍ଗଶାଳା : ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ମୂକସାକ୍ଷୀ

Published By : Prameya-News7 Bureau | October 25, 2019 IST

ଚଣ୍ଡିଖୋଲ ୨୫।୧୦: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ମୂକସାକ୍ଷୀ ବିବାଦୀୟ ଗେଷ୍ଟହାଉସ୍ ସିଲ୍ । ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଏହି ଗେଷ୍ଟ ହାଉସକୁ ବେଆଇନ ଘୋଷଣା କରି ୧୪୪ ଧାରା ଜାରି କରିଥିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଆଜି ଧର୍ମଶାଳା ତହସିଲଦାର ସରୋଜ ପଣ୍ଡା ଓ ଆଇଆଇସି ସରୋଜ ସାହୁ ଏହି ଗେଷ୍ଟ ହାଉସରେ ନାଲି ପତାକା ଲଗାଇ ସିଲ୍ କରିଛନ୍ତି ।

ଏହି ଗେଷ୍ଟ ହାଉସ ସରକାରୀ ଜମିରେ ବହୁବର୍ଷ ହେଲା ଗଢ଼ି ଉଠିଛି । ଏହି ବିବାଦୀୟ ଗେଷ୍ଟହାଉସ୍ ରେ ଗତ ୧୬ ତାରିଖରେ ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏହି କୋଠାଟି ପ୍ଲଟ୍ ଅନାବାଦି ଓ ଜଙ୍ଗଲ କିସମ ଜମିରେ ଛିଡା ହୋଇଛି । ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ସରକାରୀ ଅନାବାଦି ଓ ସାରୋଇ ପାହାଡ଼କୁ ଜବରଦଖଲ କରି ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଏ ସଂପର୍କରେ ଧର୍ମଶାଳା ତହସିଲଦାର ରିପୋର୍ଟ ଦେବା ପରେ ଯାଜପୁର ଜିଲ୍ଲାପାଳ ଗେଷ୍ଟହାଉସ୍ କୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଏହି ଗେଷ୍ଟ ହାଉସ ଚାରିକାନ୍ଥ ଭିତରେ ଲୁଚି ରହିଥିବାରୁ ଏହାକୁ ଭାଙ୍ଗିଲେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ରହିଛି। ତେଣୁ ଏ ନେଇ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ଅନୁମତି ଲୋଡ଼ାଯାଇଛି। ଏସପିଙ୍କ ସବୁଜ ସଂକେତ ମିଳିବା ପରେ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ଗେଷ୍ଟ ହାଉସରେ ଅଯଥା ପ୍ରବେଶକୁ ନିଷିଦ୍ଧ କରାଯାଇଥିବାବେଳେ ଏହାର ଚାରିପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.