ଆବାସ ଘର ନ ମିଳିବାରୁ ପିଇଓଙ୍କୁ ଆକ୍ରମଣ, ହିତାଧିକାରୀ ଗିରଫ
18/01/2023 at 11:14 PM

ଫୁଲବାଣୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକାରେ ନାଁ ନଥିବାରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲମୀ ପଂଚାୟତର ଜଣେ ହିତାଧିକାରୀ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ କହଁରଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଛନ୍ତି l ପିଇଓ କହଁର ପଂଚାୟତରେ ଭତ୍ତା ବାଣ୍ଟୁଥିବାବେଳେ ଆଲମୀ ପଂଚାୟତର ରମେଶ ଡିଗାଲ ନାମକ ଜଣେ ଲୋକ ହଠାତ ସେଠାରେ ପହଂଚି ତାଙ୍କୁ ଆକ୍ରମଣ କରିଥିଲେ l
ରମେଶ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଆବେଦନ କରି ପଂଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲାପାଳଙ୍କୁ ଜଣାଇଥିଲେ। ତେବେ ତାଙ୍କ କଥା କେହି ଶୁଣିନଥିଲେ l ପଞ୍ଚାୟତରେ ଥିଲାବାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ନଥିଲା ବାଲାଙ୍କୁ ଦିଆଯାଉନଥିବା ରମେଶ ଅଭିଯୋଗ କରି ଆସୁଥିଲେ l ସେହିପରି ତାଲିକାରେ ତ୍ରୁଟି ଥିବା ସେ ଆହୁରି ଅଭିଯୋଗ କରିଥିଲେ l
ରମେଶ ଡିଗାଲ ଅସଦାଚରଣ କରିଥିବା ନେଇ ପିଇଓ କହଁର ସଙ୍ଘକୁ ଜଣାଇବା ପରେ ସଙ୍ଘ ସଭାପତି ପଦ୍ମଚରଣ ମହାନ୍ତି ଓ ଅନ୍ୟମାନେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ସଦର ଥାନାରେ ଏତଲା ଦେଇଥିଲେ l ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ରମେଶ ଡିଗାଲକୁ ଗିରଫ କରିଥିବା ଜଣାପଡିଛିl