ଅଲବିଦା ଫୁଟବଲ ଲିଜେଣ୍ଡ: ଚା’ ଦୋକାନର ୱେଟର ବୟରୁ ମହାନ ଫୁଟବଲ ଖେଳାଳିର ଯାତ୍ରା ଥିଲା ଏମିତି…
30/12/2022 at 2:38 PM

ସାଓପାଓଲୋଲ: ଆଉ ନାହାନ୍ତି ବିଶ୍ୱର କିମ୍ବଦନ୍ତୀ ବ୍ରାଜିଲ ଫୁଟ୍ବଲ ଷ୍ଟାର୍ ପେଲେ। ଶୁକ୍ରବାର ମଧ୍ୟ ରାତ୍ରିରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି କ୍ୟାନସର ରୋଗ ସହ ଲଢ଼ିବା ପରେ ୮୨ ବର୍ଷରେ ଆଖି ବୁଜିଛନ୍ତି ଫୁଟବଲ୍ କିଂ। ବାପାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ପୁଅ କେଲି ନେସିମେଣ୍ଟୋ।
ବିଂଶ ଶତାବ୍ଦୀର ଏହି ମହାନ ଖେଳାଳି ଖୁବ୍ ବୟସରେ ପାଇଥିଲେ ଅଭୂତପୂର୍ବ ସଫଳତା। ମାତ୍ର ୧୭ ବର୍ଷ ବୟସରେ ଫୁଟବଲ୍ରେ ଡେବ୍ୟୁ, ପରେ ବ୍ରାଜିଲ୍ ଦଳର କ୍ୟାପ୍ଟେନ୍ ଦାୟିତ୍ୱ ଆଉ ତିନି ତିନି ଥର ବିଶ୍ୱ ବିଜୟୀ ହେବାର ଗୌରବ। ଆଜି ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି।

୩୦ ଅକ୍ଟୋବର ୧୯୪୦ ବ୍ରାଜିଲ୍ର ମିନାସ ଗେରାଇସ୍ରେ ଜନ୍ମଗ୍ରହଣ କରିଥିବା ପେଲେଙ୍କ ପିଲାଦିନ ଅଭାବ ଅନଟନରେ ବିତିଥିଲା। ଚା ଦୋକାନରେ ୱେଟର ବୟରେ ଭାବରେ କାମ କରୁଥିଲେ ସେ। ହେଲେ ବାପା ଡୋନାଡିହ୍ନୋଙ୍କ ଭଳି ବି ଜଣେ ଭଲ ଫୁଟବଲର ହେବାର ସ୍ୱପ୍ନ ଦେଖିଥିଲେ ପେଲେ। ମାତ୍ର ୧୫ ବର୍ଷ ବୟସରୁ ଘର ଛାଡ଼ି ସେଣ୍ଟୋସ୍ କ୍ଲବରେ ଫୁଟବଲ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ଆଉ ୧୬ ବର୍ଷ ବୟସରେ କ୍ଲବ ପକ୍ଷରୁ ଦେଇଥିଲେ ପ୍ରଥମ ଗୋଲ୍। ଏଇଠୁ ଆରମ୍ଭ ହୋଇଥିଲା ପେଲେଙ୍କ ଫୁଟବଲ ଯାତ୍ରା।
ସେଣ୍ଟୋସ୍ କ୍ଲବ ପାଇଁ ଅନେକ ଗୋଲ୍ ଦେଇଥିବା ପେଲେ ମାତ୍ର ୧୭ ବର୍ଷ ବୟସରେ ବ୍ରାଜିଲକୁ ଜିତାଇଥିଲେ ବିଶ୍ୱକପ୍। ସେତେବେଳେ ସାରା ଦୁନିଆ ଜାଣିଥିଲା ପେଲେଙ୍କ କରାମତି। ଏହାପରେ ୧୯୬୨ ଓ ୧୯୭୦ ବିଶ୍ୱକପ୍ ମଧ୍ୟ ବିଜୟୀ ହୋଇଥିଲେ ପେଲେ। ସେ ତାଙ୍କ ପ୍ରଫେସନାଲ କ୍ୟରିୟରରେ ୪ଟି ବିଶ୍ୱକପ୍ ଖେଳିଥିବା ବେଳେ ୩ଟିରେ ବିଜୟୀ ହୋଇଛନ୍ତି। ସର୍ବାଧିକ ବିଶ୍ୱକପ୍ ବିଜେତା ଖେଳାଳି ଭାବେ ପେଲେଙ୍କ ନାଁ ଏବେ ଆଗରେ।

୫.୮ ଇଞ୍ଚ । ଛୋଟ ଖେଳାଳି ବଡ଼ କରାମତି। ବଲ ତାଙ୍କ ପାଖରୁ ବାହାରି ପାରୁନଥିଲା। ଉଚ୍ଚତାର ପେଲେଙ୍କର ଡ୍ରେବଲିଂ ସ୍କିଲ୍ ଖୁବ୍ ଚମତ୍କାର ଥିଲା। ସେ ୧୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ିପାରୁଥିଲେ। ଉଭୟ ଗୋଡ଼ରେ ଜବରଦସ୍ତ ଶୁଟ କରିବା ସହ ଡେଙ୍ଗା ଖେଳାଳିଙ୍କୁ ବି ଚକ୍ମା ଦେଉଥିଲେ। ପ୍ରଫେସନାଲ କ୍ୟାରିୟରରେ ପେଲେ ୧୩୬୩ ମ୍ୟାଚ୍ ଖେଳିଥିବା ବେଳେ ୧୨୮୧ ଗୋଲ୍ କରିଥିଲେ। ବ୍ରାଜିଲ୍ ପାଇଁ ୯୨ ମ୍ୟାଚ୍ ଖେଳି ୭୭ ଗୋଲ୍ ଦେଇଛନ୍ତି। ୧୯ ନଭେମ୍ବର ୧୯୬୯ରେ ଯେବେ ପେଲେ ନିଜ କ୍ୟାରିୟର ୧୦୦୦ ଗୋଲ୍ ଦେଲେ ସେତେବେଳେ ତାଙ୍କୁ ଭେଟିବାକୁ ପଡିଆ ଭିତରକୁ ପଶିଆସିଥିଲେ ୧୦୦୦ ଫ୍ୟାନ୍ସ।
ପେଲେଙ୍କର ଅରିଜିନାଲ ନାଁ ଏଡସନ ଆର୍ନେଟ୍ସ ଡୁ ନାସିମେଣ୍ଟୋ । ହେଲେ ତାଙ୍କର ଜବରଦସ୍ତ ଖେଳ ପ୍ରଦର୍ଶନ ଯୋଗୁ ଫ୍ୟାନ୍ମାନେ ତାଙ୍କୁ ଶ୍ରଦ୍ଧାରେ ବ୍ଲେକ୍ ପର୍ଲ, ଫୁଟବଲ କିଂ, କିଙ୍ଗ ଅଫ୍ ଫୁଟବଲ ଭଳି ଅନେକ ନାଁରେ ଡାକୁଥିଲେ। ସେଣ୍ଟୋସ୍ କ୍ଲବରେ ଖେଳୁଥିବା ସମୟରେ ଅନେକ ସମୟରେ ତାଙ୍କୁ ଗୋଲ୍ କିପର ଭୂମିକା ନିର୍ବାହ କରୁବାକୁ ପଡ଼ୁଥିଲେ। ଆଉ ଏଥିରେ ଚମତ୍କାର ପ୍ରଦର୍ଶନ ଯୋଗୁ ଫ୍ୟାନ୍ମାନେତାଙ୍କୁ ଷ୍ଟାର୍ ଗୋଲକିପର ବିଲେଙ୍କ ସହ ତୁଳନା କରି ଦ୍ୱିତୀୟ ବିଲେ ବୋଲି କହୁଥିଲେ। ଆଉ ବିଲେ ନାଁ ଟି ଧୀରେ ଧୀରେ ପେଲେରେ ପରିଣତ ହୋଇଗଲା। ଫ୍ୟାନ୍ମାନଙ୍କ ଗହଣରେ ପେଲେ ନାଁ ପରିଚିତ ହେଲେ ଏହି କିମ୍ବଦନ୍ତୀ ଖେଳାଳି। ଆଜି ଏହି ମହାନ ଖେଳାଳିଙ୍କ ବିୟୋଗରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ସାରା ବିଶ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସବୁଠାରୁ ଲୋକପ୍ରିୟ ଖେଳର ଏହି ଅଦ୍ୱିତୀୟ ଖେଳାଳିଙ୍କୁ ମନେ ରଖିଥିବ ଦୁନିଆ ଯେତେଦିନ ଯାଏ ଥିବ ଫୁଟବଲ୍