କାଳ ସାଜିଛି କାଳବୈଶାଖୀ ; ସମ୍ବଲପୁରରେ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ
1/06/2018 at 7:03 AM

ସମ୍ବଲପୁର ଜିଲ୍ଲାରେ ଚାଷୀ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଗତ ଖରିଫ୍ ଋତୁରେ ଚାଷୀ ଚକଡା ପୋକ ଦାଉରେ ସର୍ବସ୍ବାନ୍ତ ହୋଇଥିବା ବେଳେ, ରବି ଋତୁରେ କିଛି ଭଲ ଫସଲ କରି,ଋଣ ସୁଝିବା ଆଶାରେ ଥିଲା। ହେଲେ ଗତ କିଛି ଦିନହେଲା, କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଧାନଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଯେଉଁ ଚାଷୀ ଧାନ କାଟିସାରିଥିଲେ, ସେମାନେ ମଣ୍ଡିରେ ଧାନ ରଖିଥିବା ବେଳେ, ଯେଉଁ ଚାଷୀଙ୍କ ଧାନ କ୍ଷେତରେ ରହିଯାଇଥିଲା, ସବୁ ଧାନ ବର୍ଷା ପାଣିରେ ବୁଡି ରହିଛି। ଏହାକୁ ନେଇ ଚାଷୀମାନେ କଣ କରିବେ ଚିନ୍ତାରେ ପଡିଯାଇଛନ୍ତି….
କାଳବୈଶାଖୀ ଯୋଗୁ,ସମ୍ବଲପୁରଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଗତ ୪ଦିନର କାଳବୈଶାଖୀ ଜନିତ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁ, ଧାନକ୍ଷେତରେ ଧାନ ଏବେ ପାଣିରେ ବୁଡି ରହିଛି। ଧାନକଟା ହେବା ସମୟରେ, ଏହି ଦୈବିଦୁର୍ବିପାକ ଚାଷୀର ବ୍ୟାପକ ଫସଲ ନଷ୍ଟ ହେବା ସହ, ରବିଫସଲ ଧୋଇ ହୋଇଯାଇଛି। ପାଣିରୁ ଛାଣି, ଧାନକୁ ଖରାରେ ଶୁଖାଇଲେ, ଧାନର ପ୍ରାକୃତିକ ରଙ୍ଗ ନଷ୍ଟ ହେବା ସହ, କେତେକ ଧାନରେ ଗଜା ସୃଷ୍ଟି ହୋଇଛି। ବଳକା ଧାନ,ଶୁଖିବା ପରେ, ସେଗୁଡିକ ଅଗାଡି ହେବା ଆଶଙ୍କାରେ,ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସମ୍ବଲପୁର ଜିଲ୍ଲାର ଗୋଶାଲା,ଦେବେଇପୁର, ରେଙ୍ଗାଲି,ତାଲବ,ମାନେଶ୍ବର,ବତେମୁରା,ସିନ୍ଦୁରପଙ୍କ ଅଞ୍ଚଳରେ ବ୍ୟାପକ ଧାନଫସଲ ଅଦିନିଆ ବର୍ଷା ଯୋଗୁ କ୍ଷତି ହୋଇଥିବା ବେଳେ,ଜିଲ୍ଲାପ୍ରଶାସନକୁ କ୍ଷତିପୁରଣ ଗୁହାରି କରିଛନ୍ତି ଚାଷୀ। ହେଲେ ଇନ୍ପୁଟ ସବ୍ସିଡି ନଦେଇ, ଫସଲର ବୀମାରାଶି ପ୍ରଦାନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି….