ତୀବ୍ର ହେଉଛି ଚାଷୀ ଆନ୍ଦୋଳନ : ପଞ୍ଚକୁଲାରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ, ଲକ୍ଷ୍ନୌରେ ଅଟକାଇଲା ପୋଲିସ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/ ୦୬ : କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ପୁଣି ଥରେ ରଣହୁଙ୍କାର ଦେଇଛନ୍ତି ଚାଷୀ । ଦିଲ୍ଲୀ ସୀମାରେ ପୁଣିଥରେ କୃଷକମାନେ ସକ୍ରିୟ ହୋଇଉଠିଛନ୍ତି । ଗତ ୭ମାସ ଧରି ଜାରି ରହିଥିବା ଆନ୍ଦୋଳନ ପୁଣି ଥରେ ଉଗ୍ର ହୋଇ ଉଠିଛି । ଏହାରି ମଧ୍ୟରେ ସାରା ଦେଶରେ ପୁଣିଥରେ ବଡ ଧରଣର ପ୍ରଦର୍ଶନ କରିଛନ୍ତି ଚାଷୀ । ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଚାଷୀ । ରାଜ୍ୟପାଳଙ୍କୁ ଭେଟିବା ବେଳେ କିଛି ସ୍ଥାନରେ ସଂଘର୍ଷ ହୋଇଥିବା ଖବର ମଧ୍ୟ ଆସିଛି ।
ହରିୟାଣାର ପଞ୍ଚକୁଲାରେ ପ୍ରଦର୍ଶନ ବେଳେ ଚାଷୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଚଣ୍ଡୀଗଡରେ ହଜାରେରୁ ଉର୍ଦ୍ଧ୍ବ ଚାଷୀ ହରିୟାଣାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯିବା ସମୟରେ ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା । ଏଥିପାଇଁ ବ୍ୟାରିକେଡ୍ ମଧ୍ୟ ଲଗାଯାଇଥିଲା । କିନ୍ତୁ ଚାଷୀମାନେ ଉଗ୍ରରୂପ ଧାରଣ କରି ବ୍ୟାରିକେଡ୍ ଭାଙ୍ଗିବା ସହିତ ଆଗକୁ ବଢିଥିଲେ । ଚାଷୀଙ୍କୁ ରୋକିବା ପାଇଁ ପୋଲିସ ଲଗାଇଥିବା ସିମେଣ୍ଟ ବିମ୍‌ଗୁଡିକୁ ମଧ୍ୟ ଭାଙ୍ଗିଦେଇଥିଲେ ଚାଷୀ ।

किसानों की मांग है कि जब तक कानून वापस नहीं लिए जाते, तब तक आंदोलन जारी रहेगा

ସେପଟେ ଲକ୍ଷ୍ନୌରେ ମଧ୍ୟ ଚାଷୀମାନେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । କିନ୍ତୁ ସେଠାରେ ଚାଷୀମାନେ ଶାନ୍ତିଶୃଙ୍ଖଳା ସହ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବାପୁ ଭବନ ପୂର୍ବରୁ ଚାଷୀଙ୍କୁ ପୋଲିସ ଅଟକାଇବା ସହିତ ବ୍ୟାରିକେଡ ବ୍ୟବସ୍ଥା କରିଥିଲା । ଚାଷୀମାନେ ସେଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା ଏବଂ କେବଳ ଚାଷୀ ନେତାମାନଙ୍କୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଛାଡିଥିଲା ।

ସୂଚନାଯୋଗ୍ୟ, ଚାଷୀ ନେତା ରାକେଶ ଟିକାୟତଙ୍କ ନେତୃତ୍ବରେ ହଜାର ହଜାର ଚାଷୀ କେନ୍ଦ୍ରର ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରତିବାଦ ଜାରି ରଖିଛନ୍ତି । ଶନିବାର ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ରାକେଶ ଟିକାୟତଙ୍କ ଗିରଫଦାରୀକୁ ନେଇ ମିଥ୍ୟା ଖବର ପ୍ରଚାରିତ ହେବାରେ ଲାଗିଛି । ‌ ଏ ନେଇ କୃଷକ ନେତା ରାକେଶ ଟିକାୟତ ନିଜେ ମୁହଁ ଖୋଲିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି, ‘ମୋତେ ଗିରଫ କରାଯାଇଥିବା ଖବର ମିଛ । ମୁଁ ଗାଜିପୁର ସୀମାରେ ହିଁ ଅଛି । ଏଠାରେ ସବୁକିଛି ସ୍ବାଭାବିକ ଅଛି ।’ ରାକେଶ ଟିକାୟତଙ୍କ ଗିରଫ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା । ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଥିବା ନେଇ ସାମାଜିକ ଗଣମାଧ୍ୟରେ ଅନେକ ଲୋକ ପ୍ରଚାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.