ଭଦ୍ରକ ୩୦।୧୧: ପିଡିଏସ ଚାଉଳ ଚୋରା ଚାଲାଣ ଘଟଣା । ମାମଲାର ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ । କିନ୍ତୁ ତଦନ୍ତ ଚାଲିଥିଲେ କାର୍ଯ୍ୟାନୁଷ୍ଠାନ ଦୁର୍ବଳ ରହିଛି ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ନଭେମ୍ବର ୧୯ରୁ ତଦନ୍ତ ଚାଲିଛି ଯେ ଚାଲିଛି । ଜିଲ୍ଲାପାଳଙ୍କ ନିକଟକୁ ଆସାପାରୁନି ତଦନ୍ତ ରିପୋର୍ଟ । ଏତେ ବିଳମ୍ବ ପର୍ଯ୍ୟନ୍ତ ରିପୋର୍ଟ ନଆସିବା କାର୍ଯ୍ୟାନୁଷ୍ଠାନକୁ ଟାଳିବା ଓ ଦୁର୍ନିତୀରେ ଲିପ୍ତ ଥିବା ଅଧିକାରୀଙ୍କୁ ତଥ୍ୟ ଲୁଚାଇବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଉଥିବା ଅଭିଯୋଗ ଆସିଛି ।
ଖବର ଅନୁଯାୟୀ, ନଭେମ୍ବର ୧୯ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ କୁଲଣା ବଜାରରେ ଏକ ପିଡିଏସ ଚାଉଳ ବୋଝେଇ ଟ୍ରକକୁ ଗ୍ରାମାବାସୀ ଅଟକ ରଖିଥିଲେ । ବେଆଇନ୍ ଭାବେ ଟ୍ରକରେ ଚାଉଳ ଚାଲାଣ ହେଉଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ । ଏହାପରେ ଯୋଗାଣ ବିଭାଗର ଅଧିକାରୀ ପହଞ୍ଚି ଟ୍ରକକୁ ଯାଞ୍ଚି କରିଥିଲେ । ଯାଞ୍ଚରୁ ଜଣାପଡିଥିଲା ଯେ, ଯେଉଁ ଡିଲର ପଏଣ୍ଟରେ ପିଡିଏସ ଚାଉଳ ଖାଲି ହେଉଥିଲା, ସେଠାରେ ମାତ୍ର ୪୦ ବ୍ୟାଗ ଚାଉଳ ଖାଲି ପାଇଁ ରସିଦ ଥିଲା । କିନ୍ତୁ ଟ୍ରକରୁ ୧୨୦ ବ୍ୟାଗ ଚାଉଳ ଖାଲି ହୋଇଥିଲା । ଟ୍ରକରେ ଆହୁରି ୪୦ ବ୍ୟାଗ ଚାଉଳ ଭର୍ତ୍ତି ହୋଇଥିଲା । ଭଣ୍ଡାରିପୋଖରୀ ଥାନାରେ ଯୋଗାଣ ଅଧିକାରୀଙ୍କ ଏତଲା ପରେ ଟ୍ରକ ଓ ଚାଉଳକୁ ଜବତ କରାଯାଇଥିଲା । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଯୋଗାଣ ଠିକାଦର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା । କିନ୍ତୁ ସେଇଠି ଅଟକି ଗଲା କାର୍ଯ୍ୟାନୁଷ୍ଠାନ । ଦିନ ଗଡ଼ିବା ସହ ତଦନ୍ତରେ ବିଳମ୍ବ ମଧ୍ୟ ହେଉଛି । ସେପଟେ ସ୍ଥାନୀୟ ବାସିନ୍ଦା ପୁଣି ଅଭିଯୋଗ ଆଣିଛନ୍ତି ଯେ, ଏବେ ଡିଲରକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ହେଉଛି । ଖବର ପ୍ରସାରଣ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହୋଇଛି । ତାଠାରୁ ଆହୁରି କାର୍ଯ୍ୟାନୁଷ୍ଠାନର ବାକି ଅଛି ।
ସେହିପରି କେବଳ ଭଣ୍ଡାରୀପୋଖରୀ ବ୍ଲକର ତେଶିଙ୍ଗା ପଞ୍ଚାୟତ ନୁହେଁ । ଏମିତି ରଣଜୀତ ପଞ୍ଚାୟତରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଲକ୍ଷ୍ମୀନାରାୟଣ ମହିଳା ସୋୟାଂସହାୟକ ଗୋଷ୍ଠୀ ମଧ୍ୟ ଷ୍ଟକରୁ ୩୨ କ୍ୱିଣ୍ଟାଲ ଚାଉଳ କମ ରଖିଥିବାରୁ ନଭେମ୍ବର ୯ରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କିନ୍ତୁ କିଛି ଉତ୍ତର ମିଳିନାହିଁ । ଏହିଭଳି ଦୁଇଟି ଘଟଣା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କହିଥିଲେ ଯେ, ଆମେ ତେଶିଙ୍ଗା ପଞ୍ଚାୟତର ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରିଛୁ । ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଦିଆଯିବ । ସେପଟେ ଭଦ୍ରକ ଜିଲ୍ଲାପାଳ ଘଟଣାସଂପର୍କରେ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖକୁ ଆସିନାହିଁ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।