ଭଦ୍ରକ ୧୨।୧୨: ତିନିଦିନ ହେଲାଣି ରାସ୍ତା ଉପରେ ପଡ଼ିରହିଛି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସିଥିବା ଚାଉଳ ଓ ଗହମ। ଚାଉଳ ବୋଝେଇ କରି ଆସିଥିବା ଟ୍ରକ ଓ ଏହି ଦାୟିତ୍ୱରେ ଥିବା ଠିକାଦାର ରିଟେଲର ପଏଣ୍ଟ ନପାଇବାରୁ, ତିନି ଦିନ ହେଲାଣି ରାସ୍ତା ଉପରେ ଚାଉଳ ଓ ଗହମ ବୋଝେଇ ଟ୍ରକ ପଡି ରହିଛି। ତିନି ଦିନ ଧରି ରାସ୍ତା ଉପରେ ରହିଥିବା ଚାଉଳ ବୋଝେଇ ଟ୍ରକକୁ ଦେଖି ଗ୍ରାମବାସୀ ମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥୈଳା ଗ୍ରାମରେ।
ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ବ୍ଲକରେ ପୂର୍ବରୁ ହୋଇଥିବା ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ନୂଆ ଠିକାଦାର ନିଯୁକ୍ତି ହେବା ପରେ ଚାଉଳ ଯୋଗାଣ କରୁଥିଲେ। କିନ୍ତୁ ଥଇଲା ପଞ୍ଚାୟତକୁ ଚାଉଳ ଓ ଗହମ ବୋଝେଇ କରି ଟ୍ରକଟି ପ୍ରାୟ ତିନି ଦିନ ତଳୁ ବାହାରି ଥିଲା। ଲକ୍ଷ୍ମୀନାରାୟଣ ଏସଏସଜିର ଠିକଣାରେ ପହଞ୍ଚିବା କଥା। କିନ୍ତୁ ଗାଡିଟି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। କିନ୍ତୁ ଅନ୍ୟ କୌଣସି ଠିକ ସ୍ଥାନ ନପାଇବାରୁ ଖାଲି ହୋଇନଥିଲା। ୩ ଦିନ ଧରି ୬୦୦ ବସ୍ତା ଚାଉଳ ଓ ଗହମ ବୋଝେଇ ଟ୍ରକ ଅଟକି ରହିଥିଲା। ପରେ ସ୍ଥାନୀୟ ଲୋକେ ଟ୍ରକକୁ ଘେରିବାରୁ ଯୋଗାଣ ନିରୀକ୍ଷକ ଆସି ତଦନ୍ତ ଆରମ୍ଭ କରିଛନ୍ତି ।