ରେଞ୍ଜ ଅଫିସ୍ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ମାମଲାରେ ଆକ୍ସନ୍, ନିଲମ୍ବିତ ହେବେ ଗିରଫ ହୋଇଥିବା ୬ ବନ କର୍ମଚାରୀ
9/02/2023 at 2:48 PM

ଭୁବନେଶ୍ୱର ୦୯।୦୨ : କଟକ ଜିଲ୍ଲା ବଡମ୍ବା ରେଞ୍ଜ ଅଫିସ୍ ହେପାଜତରେ ଧନେଶ୍ବର ବେହେରାଙ୍କ ମୃତ୍ୟୁ ମାମଲାରେ ଆକ୍ସନ୍ । ନିଲମ୍ବିତ ହେବେ ଗିରଫ ହୋଇଥିବା ୬ ବନ କର୍ମଚାରୀ । ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ଏମାନେ ନିଲମ୍ବନ ହେବେ । ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ । ରେଞ୍ଜରଙ୍କୁ ଛାଡି ଅନ୍ୟ ୬ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ନିଲମ୍ବନ କରିବେ ଆଠଗଡ ଡିଏଫଓ । ରେଞ୍ଜରଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ଡିଏଫଓ ।
ଖବର ଅନୁଯାୟୀ, ଗତ ୩୧ ତାରିଖରେ ବଡମ୍ବା ରେଞ୍ଜର ମାଣିଆବନ୍ଧ ବିଟର ହିପିଣ୍ଡା ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ଗଳିତ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରା ଯାଇଥିଲା। ଏହି ଘଟଣାରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଉଠାଇ ଆଣି ପଚରାଉଚରା କରିବା ସମୟରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ବନ କର୍ମଚାରୀ ମାନେ ଧନେଶ୍ଵର ବେହେରାକୁ ବାଡ଼େଇ ମାରି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି । ଆଇପିସି ଆର୍ମ ଆକ୍ଟ ଏବଂ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ କରିଛି ବଡମ୍ବା ପୋଲିସ ।
ବଡମ୍ବା ରେଞ୍ଜର, ଦୁଇଜଣ ACFO ଙ୍କ ସମେତ ୧୪ ବନକର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଏହାପରେ ୬ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିଲା । ହାତୀ ଦାନ୍ତ ରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ତେବେ ତଦନ୍ତ ଚାଲିଥିବା ମାମଲାରେ ତାଙ୍କର ସମ୍ପୃକ୍ତି ଥିଲା ନା ନାହିଁ ସେନେଇ ଅନ୍ୟ ଅଧିକାରୀ ତଦନ୍ତ କରିବେ ।