ପିସିସିର ସାଧାରଣ ସଂପାଦକ ନାରାୟଣ ଜେନା ଦଳରୁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲା ଆକ୍ସନ
21/07/2023 at 11:26 PM

ଭୁବନେଶ୍ଵର: ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସଂପ୍ରତି ଚର୍ଚ୍ଚାରେ ପ୍ରଦେଶ କଂଗ୍ରେସ କମିଟି। ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଓଡ଼ିଶା ପିସିସିର ସାଧାରଣ ସଂପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନାରାୟଣ ଜେନାଙ୍କୁ ବହିଷ୍କାର ନେଇ ପିସିସି ଶୃଙ୍ଖଳା କମିଟିର ନିଷ୍ପତ୍ତି। ଆଜି ସନ୍ଧ୍ୟାରେ ବସିଥିବା ପିସିସି ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ଲାଗି ନାରାୟଣଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଶୁକ୍ରବାର ରାତିରେ ଏହ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ- ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରେ ଆକ୍ସନ, ସସ୍ପେଣ୍ଡ କଲା AICC
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ୍ ସସପେଣ୍ଡ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତେବେ ଦୁଇ ନେତା ଏବେ ମଧ୍ୟ ସେମାନେ କଂଗ୍ରେସ ସହ ଅଛନ୍ତି ଏବଂ ଦଳ ପ୍ରତି କୌଣସି ବେଇମାନି କି ଦଳ ବିରୋଧୀ କାର୍ଯ୍ୟ କରି ନ ଥିବା କହିଛନ୍ତି।