‘ପରସ୍ପର ବିରୁଦ୍ଧରେ ଅଯଥା ଯୁକ୍ତି ନକରି ସିରିଜ୍‌ ଉପରେ ଧ୍ୟାନ ଦିଅ’, ଗାଙ୍ଗୁଲି ଏବଂ କୋହଲିଙ୍କୁ ରୋକ୍‌ଠୋକ୍‌ ଶୁଣାଇଲେ କପିଳ ଦେବ

Published By : Prameya-News7 Bureau | December 16, 2021 IST

ନୂଆଦିଲ୍ଲୀ ୧୬/୧୨ : ବିସିସିଆଇ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି । କୋହଲିଙ୍କୁ ଅଧିନାୟକ ପଦରୁ ହଟାଯିବାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ବିରାଟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ୧୯୮୩ ବିଶ୍ବକପ ବିଜେତା ଅଧିନାୟକ କପିଳ ଦେବ ।

କପିଳ ଦେବ କହିଛନ୍ତି, ‘ବିରାଟ କୋହଲି ଭୁଲ ସମୟରେ ବୟାନ ଜାରି କରିଛନ୍ତି । ବିସିସିଆଇ ସହ ମତଭେଦ ବଢାଇବା କୋହଲିଙ୍କ କ୍ଷେତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ଆଗକୁ ଦକ୍ଷିଣ ଆଫ୍ରିକା ଭଳି ଗୁରୁତ୍ବପୂର୍ଣ୍ଣ ଗସ୍ତ ଥିବାରୁ ଅନାବଶ୍ୟକ ବିବାଦ ଆରମ୍ଭ ହୋଇଯାଇଛି ।’

ସୂଚନା ଥାଉକି, ଦକ୍ଷିଣ ଆଫ୍ରିକା ଗସ୍ତର ଠିକ୍‌ ପୂର୍ବରୁ ମୁମ୍ବାଇରେ ପ୍ରେସ କନଫରେନ୍ସ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନକୁ ଭୁଲ ବୋଲି କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି, ବୋର୍ଡ ତାଙ୍କୁ ଟ୍ବେଣ୍ଟି ଟ୍ବେଣ୍ଟି ଅଧିନାୟକ ପଦ ଛାଡିବାକୁ କହିନଥିବା କଥା ଭୁଲ । କୋହଲିଙ୍କ ଏହି ବୟାନ ପରେ ବିସିସିଆଇ ସହ ତାଙ୍କର ମତଭେଦ ଆରମ୍ଭ ହୋଇଯାଇଛି ।

କପିଳ ଦେବ କହିଛନ୍ତି, ‘ବର୍ତ୍ତମାନ ସମୟରେ କାହାକୁ ଅଙ୍ଗୁଳି ଦେଖାଇବା ଠିକ ନୁହେଁ । ଆଗକୁ ଦକ୍ଷିଣ ଆଫ୍ରିକା ଗସ୍ତ ରହିଛ ଏବଂ ଏହାକୁ ଧ୍ୟାନ ଦେବା ଉଚିତ । ବୋର୍ଡର ଅଧ୍ୟକ୍ଷ ତ ବୋର୍ଡ ଅଧ୍ୟକ୍ଷ କିନ୍ତୁ ଦଳର ଅଧିନାୟକ ହେବା ମଧ୍ୟ ବଡ କଥା । ଜଣେ ଜଣଙ୍କ ବିରୁଦ୍ଧରେ ସାର୍ବଜନୀକ ଭାବେ ଖରାପ କହିବା ଠିକ ନୁହେଁ । ସେ ସୌରଭ ଗାଙ୍ଗୁଲି ହୁଅନ୍ତୁ କି ବିରାଟ କୋହଲି ।’

ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରି ଆଗକୁ ସିରିଜ୍‌ ଉପରେ ଫୋକସ୍‌ କରିବାକୁ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି କପିଳ ଦେବ । ଏହା ସହିତ ଦେଶ ପାଇଁ ଚିନ୍ତା କରିବା ଏବଂ ଖେଳକୁ ଗୁରୁତ୍ବ ଦେବାକୁ କପିଳ ଦେବ କହିଛନ୍ତି । ଯିଏ ଭୁଲ ତାହା ପ୍ରମାଣିତ ହୋଇଯିବ କିନ୍ତୁ ଗସ୍ତ ପୂର୍ବରୁ ବିବାଦ ଛିଡା କରିବା ଠିକ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.