‘ଅଭିଯୁକ୍ତ ନିଃସର୍ତ୍ତରେ କ୍ଷମା ମାଗିଛନ୍ତି’: ପଓ୍ବନ ଖେଡ଼ାଙ୍କ ଜାମିନ୍କୁ ନେଇ କହିଲେ ହିମନ୍ତ ବିଶ୍ବଶର୍ମା
24/02/2023 at 2:03 PM

ନୂଆଦିଲ୍ଲୀ, ୨୪/୦୨: କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କ ଗିରଫ କରାଯିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଗୁରୁବାର ଆସାମ ପୋଲିସ୍ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ୍ ମିଳିଛି। ଏବେ ଏହି ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି। ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ପଓ୍ବନ ଖେଡ଼ା ବିନା ସର୍ତ୍ତରେ କ୍ଷମା ମାଗିସାରିଛନ୍ତି। ଆଶା ଅଛି ଯେ ଆଗକୁ ସେ ଏଭଳି ଶବ୍ଦର ପ୍ରୟୋଗ କରିବେନି।
ପ୍ରକୃତରେ ପଓ୍ବନ ଖେଡ଼ା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟିପ୍ପଣୀ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନରେନ୍ଦ୍ର ଗୌତମ ଦାସ କହିଥିଲେ। ଖେଡ଼ାଙ୍କ ଏହି ବୟାନ ବିରୋଧରେ ଉତ୍ତରପ୍ରଦେଶ ଏବଂ ଆସାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ସହ ଦିଲ୍ଳୀ ଏୟାରପୋର୍ଟରୁ ରାୟପୁର ଯାଉଥିବା ବିମାନରୁ ଖେଡ଼ାଙ୍କୁ ଓହ୍ଲାଇ ଗିରଫ କରିଥିଲା ଆସାମ ପୋଲିସ୍। ଏହାପରେ ତାଙ୍କୁ ଦିଲ୍ଳୀ ଦ୍ବାରକା କୋର୍ଟରେ ହାଜର କରିଥିଲା।
ସେପଟେ କଂଗ୍ରେସ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ପଓ୍ବନ ଖେଡ଼ାଙ୍କୁ ଅନ୍ତରୀଣ ଜାମିନ୍ ଦେଇଥିଲେ। ଏହା ସହ ଏଭଳି ବୟାନବାଜିକୁ ନେଇ ଚେତାବନୀ ଦେଇଥିଲେ। ଏହା ପରେ ଦ୍ବାରକା କୋର୍ଟ ମଧ୍ୟ ତାଙ୍କୁ ଜାମିନ୍ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେ୍ଦଶ ଅନୁଯାୟୀ, ତାଙ୍କୁ ମଙ୍ଗଳବାର ପର୍ଯ୍ୟନ୍ତ ଗିରଫ କରାଯାଇପାରିବନାହିଁ।