ସାକ୍ଷୀଙ୍କ ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇଥିଲା ପବନ ଗୁପ୍ତା, ଏବେ ନିର୍ଭୟାଙ୍କ ସାଙ୍ଗର ପିତା ଏମିତି ଦେଲେ ଜବାବ

Published By : Prameya-News7 Bureau | March 13, 2020 IST

ଗୋରଖପୁର ୧୩।୦୩ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାରେ ଗୋରଖପୁରର ଅଭନିନ୍ଦ୍ର ପାଣ୍ଡେ ବଡ ଭୂମିକା ନିଭାଇଛନ୍ତି। ଅଭନିନ୍ଦ୍ର ହେଉଛନ୍ତି ପ୍ରତ୍ୟକ୍ଷଦର୍ଶୀ ଏବଂ ନିର୍ଭୟାଙ୍କ ସାଙ୍ଗ ମଧ୍ୟ। ଉଲ୍ଲେଖଯୋଗ୍ୟ, ନିର୍ଭୟା କାଣ୍ଡ ସମୟରେ ଅଭନିନ୍ଦ୍ର ନିର୍ଭୟାଙ୍କ ସହିତ ବସରେ ଥିଲେ। ମାତ୍ର ଦୋଷୀ ପବନ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ନିଜର ଓକିଲଙ୍କ ଜରିଆରେ ଯାଚିକା ଦାଖଲ କରି କହିଛି ଯେ, ଘଟଣା ସମୟରେ ଉପସ୍ଥିତ ଏକ ମାତ୍ର ସାକ୍ଷୀଙ୍କ ବୟାନ ବିଶ୍ଵାସଯୋଗ୍ୟ ନୁହଁ।

ଅନ୍ୟପଟେ ଅଭନିନ୍ଦ୍ରଙ୍କ ପିତା ଆଡଭୋକେଟ୍ ଭାନୁ ପ୍ରକାଶ ପାଣ୍ଡେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ନିର୍ଭୟାଙ୍କୁ ଖୁବ୍‌ ଶୀଘ୍ର ନ୍ୟାୟ ମିଳିବ। ଯେଉଁ ଲୋକ ମୋ ପୁତ୍ରଙ୍କୁ ମିଥ୍ୟାବାଦୀ କହି ନିଜର ପୁଅକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କର ସମସ୍ତ ଯୋଜନା ଭଣ୍ଡୁର ହୋଇଯିବ। ଏବେ ଦୋଷୀଙ୍କୁ ବଞ୍ଚାଇବାର ସମସ୍ତ ମାର୍ଗ ବନ୍ଦ ହୋଇଯିବା ପରେ ସେମାନେ ମୋ ପୁଅ ଉପରେ ଆଙ୍ଗୁଠି ଉଠାଉଛନ୍ତି। ନିର୍ଭୟାଙ୍କ ଦୋଷୀଙ୍କୁ ଯେମିତି ହେଲେ ବି ଫାଶୀ ଦଣ୍ଡ ମିଳିବ। ଭାନୁ ପ୍ରକାଶ ପାଣ୍ଡେଙ୍କ ଅନୁଯାୟୀ, ଅଭନିନ୍ଦ୍ର ସେହି ରାତିକୁ କେବେ ମଧ୍ୟ ଭୁଲି ପାରି ନାହିଁ। ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଏହା ଯନ୍ତ୍ରଣା ଦେଉଛି ଯେ, ହୁଏତ ସେ ତାଙ୍କୁ ବଞ୍ଚା ପାରିଥାନ୍ତେ। ତେଣୁ ଏବେ ମଧ୍ୟ ସେ ନିରୋଳା ଜୀବନ ଅତିବାହିତ କରୁଛି।

{"id":237580,"width":752,"height":432,"sizeSlug":"large"}

ଉଲ୍ଲେଖଯୋଗ୍ୟ, ପବନ ଗୁପ୍ତାଙ୍କ ପିତା ଚଳିତ ବର୍ଷ ଜାନୁଆରୀରେ ଏକ ଯାଚିକା ଦାଖଲ କରିଥିଲେ। ଯାଚିକା ଉପରେ ଶୁଣାଣି କରିବାକୁ ଦିଲ୍ଲୀର ଏକ ନିମ୍ନ ଅଦାଲତ ମନା କରି ଦେଇଥିଲେ। ଦୋଷୀଙ୍କ ପକ୍ଷରୁ ଦାୟର ଯାଚିକାରେ କୁହାଯାଇଥିଲା ଯେ, ନିର୍ଭୟାଙ୍କ ସାଙ୍ଗ ଏହି ମାମଲାରେ ଏକ ମାତ୍ର ପ୍ରତ୍ୟକ୍ଷଦର୍ଶୀ, ତେଣୁ ତାଙ୍କର ବୟାନକୁ ବିଶ୍ଵାସ କରାଯାଇ ପାରିବ ନାହିଁ। ଏବେ ନିମ୍ନ ଅଦାଲତର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କୋର୍ଟ ଦୋଷୀ ପବନ କୁମାର ଗୁପ୍ତା, ବିନୟ କୁମାର ଶର୍ମା, ମୁକେଶ ସିଂହ ଓ ଅକ୍ଷୟ କୁମାର ସିଂହଙ୍କ ଲାଗି ମୃତ୍ୟୁ ପରଓ୍ଵାନା ଜାରି କରି ସାରିଛି। ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଅନ୍ୟପଟେ ଦୋଷୀ ପବନ ଗୁପ୍ତା ମଣ୍ଡୋଲି ଜେଲର ଦୁଇ ଜଣ ପୋଲିସକର୍ମୀଙ୍କ ଉପରେ ମାଡ ମାରିବା ଅଭିଯୋଗରେ ଏଫଆଇଆର ରୁଜୁ କରିବା ଦାବି ନେଇ କୋର୍ଟ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.