ବିନିକା ୯/୬: ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଶିବ-ପାର୍ବତୀଙ୍କ ବିବାହ ପାଇଁ ଧୁମଧାମରେ ଚାଲିଛି ଆୟୋଜନ । ବାବା ବିଶ୍ବେଶ୍ବର ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଉତ୍ସବମୁଖର ପରିବେଶ । ବିଶ୍ବେଶ୍ବର ବାବାଙ୍କ ପିତାମାତାଙ୍କ ସହ ଅନେକ ଭକ୍ତ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଆଉ ରୀତିନୀତି ଅନୁସାରେ ପତରପେଣ୍ଡି କାର୍ଯ୍ୟ ଶେଷ ହୋଇଛି । ସୋମବାର
ଦେବ ଦଂପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ । ମାତା ପାର୍ବତୀଙ୍କୁ ଘରକୁ ନେବାକୁ ଅପେକ୍ଷା କରିଛନ୍ତି ବର ଘର ଲୋକ । ସେହିପରି ପାର୍ବତୀଙ୍କୁ କନ୍ୟାଦାନ କରୁଥିବାରୁ ବେଶ ଖୁସି ଅଛନ୍ତି କନ୍ୟା ପିତାମାତା । ସେପଟେ ବିଶ୍ବେଶ୍ବର ମନ୍ଦିରରେ ଜମୁଛି ତାରକାସୁର ଦରବାର । ପତରପେଣ୍ଡି ସରିବା ପରେ ତାରକାସୁର ଦରବାର କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା । ତାରକାସୁର ଭୂମିକାରେ ଗୋପାଳ ପଣ୍ଡାଙ୍କ ଅଭିନୟ ଦର୍ଶକଙ୍କୁ ଅନେକ ସମୟ ଯାଏ ବାନ୍ଧି ରଖିଥିଲା । ଏଥିସହ ନୃତ୍ୟଗୀତରେ ଝୁମିଥିଲେ ଦର୍ଶକ ।