ଭୁବନେଶ୍ୱର: ଜୁନ୍ ୪ ନିର୍ବାଚନ ପରିଣାମରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା । ସେବେଠୁ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଙ୍ଗଳବାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ମୋହନ ମାଝୀ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ତାଙ୍କ ସହ ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ରହିବେ ।
ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ବିଜେପି ଜଣେ ଟାଣୁଆ ନେତା । ଏହାସହ ପଶ୍ଚିମ ଓଡ଼ିଶାରେ ବିଜେପିର ଜଣେ ବଡ଼ ଚେହେରା । ୧୯୫୬ ମସିହା ଜାନୁଆରୀ ୧୪ରେ ପାଟଣାଗଡ଼ ରାଜପରିବାରରେ କେଭି ସିଂହଦେଓଙ୍କ ଜନ୍ମ । ଏଡିଆର ରିପୋର୍ଟ ଅନୁସାରେ ୬୭ ବର୍ଷୀ କେଭି ସିଂହଦେଓ ଦ୍ୱାଦଶ ପାସ୍ କରିଛନ୍ତି । କେଭି ସିଂହଦେଓ ଚଳିତ ଥର ଷଷ୍ଠ ଥର ପାଇଁ ପାଟଣାଗଡ଼ରୁ ନିର୍ବାଚିତ ହୋଇଛନ୍ତି । ବିଜେଡି-ବିଜେପି ମେଣ୍ଟ ସରକାରରେ କେଭି ସିଂହଦେଓଙ୍କ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ମେଣ୍ଟ ସରକାରରେ ସେ ୨୦୦୦-୦୪ ମସିହା ଯାଏଁ ଉଦ୍ୟୋଗ ଏବଂ ୨୦୦୪-୦୯ ଯାଏଁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନଗର ଉନ୍ନୟନ ବିଭାଗ ସମ୍ଭାଳିଥିଲେ । ପରେ ସେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଭାବେ କାର୍ଯ୍ୟ କରି ଦଳୀୟ ସଂଗଠନକୁ ମଜଭୁତ କରିଥିଲେ ।
ପଢନ୍ତୁ: ମୋହନ ମାଝୀ ଏବେ ହିରୋ ନମ୍ବର ଓ୍ଵାନ, ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ରାଜନୈତିକ ଯାତ୍ରା
କେଭି ସିଂହଦେଓଙ୍କ ପତ୍ନୀ ମଧ୍ୟ ବିଜେପିର ଜଣେ ବରିଷ୍ଠ ନେତ୍ରୀ । ବାଲଙ୍ଗୀର ସଂସଦୀୟ କ୍ଷେତ୍ରରୁ ପାଞ୍ଚ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ । ସେ ଲଗାତାର ଗତ ତିନୋଟି ନିର୍ବାଚନ ଜିତି ଦିଲ୍ଲୀ ଯାଇଛନ୍ତି ।