ବିହାରରେ ପୁଣି ମଦ ମୃତ୍ୟୁ ଅଭିଯୋଗ, ଚାଲିଗଲା ୪ ଜୀବନ, ହସ୍ପିଟାଲରେ ୬ ଭର୍ତ୍ତି

Published By : Prameya-News7 Bureau | January 23, 2023 IST

ପାଟନା: ବିହାରରେ ପୁଣି ମଦ ମୃତ୍ୟୁ ।  ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ ଅଭିଯୋଗ । ବିହାରର ଶିବାନ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇବା ପରେ ୧୦ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଶିବାନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ୬ରୁ ଅଧିକ ଲୋକ ଏବେବି ଚିକିତ୍ସିତ ହେଉଛନ୍ତି ।  

ଶିବାନ ଜିଲ୍ଲାପାଳ ଅମିତ କୁମାର ପାଣ୍ଡେଙ୍କ ସୂଚନା ମୁତାବକ, ମୃତ୍ୟୁ କାରଣ ଏବେବି ଅସ୍ପଷ୍ଟ ରହିଛି । ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସତ୍ୟ ସାମ୍ନାକୁ ଆସିବ । ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଷାକ୍ତ ମଦ ପିଇବା ଯୋଗୁ ମୃତ୍ୟୁ ହୋଇଛି । ନିଶା ବେସନ କରିବା ପରେ ହଠାତ୍ ୧୦ଜଣ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ସେମାନଙ୍କୁ ତୁରନ୍ତ ଶିବାନ ହସ୍ପିଟାଲରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ରାସ୍ତାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ଚିକିତ୍ସା ସମୟରେ ଅନ୍ୟ ୨ଜଣଙ୍କ ପ୍ରାଣ ହରାଇଛନ୍ତି । ଏବେବି ହସ୍ପିଟାଲରେ ୬ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଯାଞ୍ଚ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ଥିବା ୧୦ଜଣଙ୍କ ଗିରଫ କରିଛି ପୋଲିସ।

ବିହାରର ପିଛା ଛାଡ଼ୁନାହିଁ ମଦ ମୃତ୍ୟୁ । ଏହା ପୂର୍ବରୁ  ବିଷାକ୍ତ ମଦ ପିଇବା ଯୋଗୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ନୀତୀଶ ସରକାର ବିହାରରେ ମଦକୁ ବ୍ୟାନ କରିଥିଲେ ମଧ୍ୟ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବେଆଇନ ତସ୍କରୀ ଚାଲୁଥିବାରୁ କାରବାର ବୃଦ୍ଧି ପାଉଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.