ଆଜି ପାଟକୁରା ରେଜଲ୍ଟ : ଆରମ୍ଭ ହୋଇଛି ଭୋଟ୍ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
24/07/2019 at 8:07 AM

କେନ୍ଦ୍ରାପଡା ୨୪|୭: ଆଜି ଆସିବ ପାଟକୁରା ଫଳାଫଳ । ପାଟକୁରାରେ କିଏ ଜିତିବ- ବିଜେଡି ନା ବିଜେପି ? ଏଥର ବିଜୟ ମହାପାତ୍ର ବିଧାନସଭାକୁ ଯିବେ ନା ତାଙ୍କ ରାଜନୈତିକ କ୍ୟାରିଅରର ଅନ୍ତ ଘଟିବ ? ସମସ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ। ତେବେ ଆଜି କଳ୍ପନାଜଳ୍ପନାର ଅବସାନ ଘଟିବ। ପ୍ରକାଶ ପାଇବ ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ। ତେଣୁ କେବଳ ପାଟକୁରା ନୁହେଁ, ଏହା ଉପରେ ସମଗ୍ର ରାଜ୍ୟର ନଜର କେନ୍ଦ୍ରୀଭୂତ ହୋଇଛି।

ଭୋଟ୍ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ରାପଡା କଲେଜରେ ହୋଇଥିବା କାଉଣ୍ଟିଂ ସେଣ୍ଟରରେ ସକାଳ ୭ଟାରୁ କାଉଣ୍ଟିଂ ଏଜେଣ୍ଟ ଓ ଗଣତି କର୍ମଚାରୀ ପ୍ରବେଶ କରିସାରିଛନ୍ତି । ପ୍ରଥମ ପର୍ଯ୍ୟାୟ ଗଣତି ଆରମ୍ଭ ହୋଇସାରିଛି ।

ଗଣତିରେ ୨ ଶହ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ୧୮ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ୍ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।

ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ହୋଇଥିବା ମତଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ୍ ୧୦ ଜଣ ପ୍ରତିଦ୍ୱନ୍ଦ୍ବିତା କରିଛନ୍ତି।