ସାମାନ୍ୟ କିଛି ଟଙ୍କା ପାଇଁ ରାତିସାରା ଆମ୍ବୁଲାନ୍ସରେ ରୋଗୀ ବନ୍ଦ, ଭୋକରେ ଛଟପଟ ହେଲେ ସ୍ତ୍ରୀ ଓ ଛୁଆ

Published By : Prameya-News7 Bureau | May 05, 2020 IST

ସମ୍ବଲପୁର ୫।୫: ହଜିଗଲା ମାନବିକତା । ରୋଗୀଙ୍କୁ ରାତି ସାରା ଆମ୍ବୁଲାନ୍ସ ରେ ବନ୍ଦ କରି ନିଶ୍ଚିନ୍ତରେ ଘରେ ଶୋଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ସେପଟେ ଆମ୍ବୁଲାନ୍ସ ଭିତରେ ଗରମ ଏବଂ ଭୋକରେ ଛଟପଟ ହେଉଥିଲେ ୫ ବର୍ଷର ଛୋଟ ଶିଶୁ, ନିଜେ ରୋଗୀ ଓ ତାର ସ୍ତ୍ରୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବୁର୍ଲା ଭୀମସାରରେ । ବୁର୍ଲା ଭୀମସାରରୁ ୩୦୦ କି.ମି. ଦୂର ନୂଆପଡାକୁ ରୋଗୀଙ୍କୁ ନେଇ ଯାଇଥିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ଘରେ ଛାଡିବା ବେଳେ ସମ୍ପୂର୍ଣ୍ଣ ଗାଡି ଭଡା ଦେଇନପାରିବାରୁ ପୁଣି ରୋଗୀ ଏବଂ ତାଙ୍କ ସ୍ତ୍ରୀଙ୍କ ସହ ଛୋଟ ଛୁଆକୁ ସେହି ଆମ୍ବୁଲାନ୍ସରେ ନୂଆପଡାରୁ ବୁର୍ଲା ଭୀମସାର ଫେରାଇ ଆଣିଲେ ଆମ୍ବୁଲାନ୍ସ ଡ୍ରାଇଭର । ଏହାସହ ରାତି ସାରା ରୋଗୀ, ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଶିଶୁ ପୁତ୍ରକୁ ଆମ୍ବୁଲାନ୍ସରେ ବନ୍ଦ କରି ରଖିଥିଲେ । ପରେ କିଛି ବ୍ୟକ୍ତି ଦେଖି ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ  ୧୫ ତାରିଖରେ ନୂଆପଡାର ଡଗରେଶ୍ବର ମାଝୀ ସ୍ପାଇନ୍ ଟିବି ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିଲେ । କିଛି ମାତ୍ରାରେ ସୁସ୍ଥ ହେବା ପରେ ମଇ ୨ ତାରଖରେ ସେ ଡିସଚାର୍ଜ ହୋଇଥିଲେ । ଲକ୍ ଡାଉନ୍ ଯୋଗୁଁ ବସ୍ ଚଳାଚଳ କରୁନଥିବାରୁ ବୁର୍ଲାର ମା’ ତାରିଣୀ ଟାକ୍ସିର ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଯାଇଥିଲେ ।

ପୂର୍ବରୁ ୫୨୦୦ ଟଙ୍କା ଭଡା ନିର୍ଦ୍ଧାରଣ ହୋଇଥିଲା । ଡଗରେଶ୍ବର ଗରିବ ଶ୍ରେଣୀର ହୋଇଥିବା ସହ ଏତେ ଦିନ ରହିଲା ପରେ ପାଖରେ ଆଉ ୧୬୦୦ ଟଙ୍କା ବଞ୍ଚିଥିଲା । ଘରେ ପହଞ୍ଚିବା ପରେ ଡଗରେଶ୍ବର ୧୬୦୦ ଦେବା ସହ ପଇସା ପାଇଁ ସମ୍ପର୍କୀୟକୁ ଫୋନ୍ କରି ପଇସା ମାଗିବା ସହ ଆମ୍ବୁଲାନ୍ସ ଡ୍ରାଇଭରକୁ କିଛି ସମୟ ଅପେକ୍ଷା କରିବା ପାଇଁ କହିଥିଲେ । ହେଲେ ମାଲିକ କଥାରେ ଡ୍ରାଇଭର ରୋଗୀ, ତାଙ୍କ ସ୍ତ୍ରୀ ଓ ଛୁଆକୁ ଆମ୍ବୁଲାନ୍ସରେ ବନ୍ଦ କରି ପୁଣି ବୁର୍ଲା ନେଇ ଆସି ରାତି ସାରା ବନ୍ଦ କରି ରଖିଥିଲେ । ତେବେ ଗତକାଲି ଘଟଣା ପ୍ରଘଟ ହେବା ପରେ ଟାକ୍ସି ମାଲିକ ଛୋଟଲାଲ୍ ଗୁପ୍ତାଙ୍କ ନାଁରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.