ଢେଙ୍କାନାଳ, ୧୩/୦୮: ହସ୍ପିଟାଲ୍ର ୫ ମହଲା ଉପରୁ ତଳକୁ ଡେଇଁ ପଡିଲେ ରୋଗୀ । ଆଉ ତଳେ ଥିବା ଘାସ ବଞ୍ଚାଇ ଦେଲା ଜୀବନ । କିନ୍ତୁ ଏତେ ଉଚ୍ଚରୁ ତଳେ ପଡି ଏହି ରୋଗୀ ଜଣଙ୍କର ହାତ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଗୁରୁତର ଥିବା ଜଣାପଡିଛି । ଅପରାହ୍ନ ପ୍ରାୟ ୩ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏପରି ଅଭାନୀୟ ଘଟଣା । ଗୁରୁତର ଅବସ୍ଥାରେ ଏହି ରୋଗୀକୁ ସୁରକ୍ଷାକର୍ମୀମାନେ ଚିକିତ୍ସା ପାଇଁ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ରୋଗୀ ଜଣଙ୍କ ପରଜଙ୍ଗ ଦଳିତ ବସ୍ତିର ଚନ୍ଦନ ନାୟକ ବୋଲି ଜଣାପଡିଛି।
ତେବେ କାହିଁକି ସେ ଏପରି ୫ ମହଲାରୁ ତଳକୁ ଡେଇଁ ପଡିଲେ ସେ ସମ୍ପର୍କରେ ତାଙ୍କ ପରିବାର ଚୁପ ରହୁଥିବାରୁ କୌଣସି କାରଣ ଜଣାପଡୁନାହିଁ । ଚନ୍ଦନ ଗତ କିଛିଦିନ ହେଲା ନିଜ ଭଉଣୀ ଘର ଗଁନ୍ଦିଆରେ ରହୁଥିଲା । ହେଲେ ଗତ କାଲି ଚନ୍ଦନ ନିଜେ ତାର ହାତ ଓ ବେକ ଆଦି ବ୍ଲେଡ଼ରେ କାଟିଦେବାରୁ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଡାକ୍ତରଖାନାର ୫ ମହଲା ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଏପରି କରିଥିଲା । ତେବେ ପାଖରେ ମା ଓ ଭଉଣୀ ଅନୁପସ୍ଥିତି ସୁଯୋଗ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ମାତ୍ର ଏହା ପଛର କାରଣ କଣ ଜଣ ପଡିନଥିଲେ ମଧ୍ୟ ଚନ୍ଦନ ମାନସିକ ବିକାର ଗ୍ରସ୍ତ ହୋଇଥିବାରୁ ଏପରି ଉଦ୍ୟମ କରିଥିବା ଅନୁମାନ କରାଯାଇଛି।