ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ବିରୋଧ : ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ, ରୋଗୀ ସେବା ପ୍ରଭାବିତ

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪|୬: କୋଲକାତାରୁ ଦିଲ୍ଲୀ, ମୁମ୍ବାଇ ସବୁଠି ଡାକ୍ତରଙ୍କ ଧର୍ମଘଟ । ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳୁନି । ଧୀରେ ଧୀରେ ସମସ୍ୟା ଗମ୍ଭୀର ରୂପ ନେବାରେ ଲାଗିଛି । କୋଲକାତା ଏନ୍ଆରଏସ୍ ମେଡିକାଲ କଲେଜର ଦୁଇ ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ବିରୋଧରେ ପ୍ରତିବାଦ ସ୍ବର ତେଜିବାରେ ଲାଗିଛି । ଏହି ଘଟଣା ପରେ ପଶ୍ଟିମବଙ୍ଗ ଜୁନିଅର ଡାକ୍ତର ସଂଘ ଗତ ମଙ୍ଗଳବାରଠାରୁ ହରତାଳ କରୁଛି । ପଶ୍ଚିମବଙ୍ଗରେ ୪ଦିନ ଧରି ଡାକ୍ତରଙ୍କ ଧର୍ମଘଟ ଯୋଗୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ଏକରକମ ଠପ୍ ହୋଇଯାଇଛି । ଏପରିକି କାର୍ଯ୍ୟରେ ଯୋଗ ଦେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଲଟିମାଟମ୍ କୁ ମଧ୍ୟ ଖାତିର କରିନାହାନ୍ତି ଡାକ୍ତର ।

ଏପଟେ ସୁରକ୍ଷା ଦାବିରେ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ଏହାପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ଛତିଶଗଡ, ବିହାର ସମେତ ଅନେକ ରାଜ୍ୟରେ ଡାକ୍ତରମାନେ ଧର୍ମଘଟରେ ସାମିଲ ହୋଇଛନ୍ତି । ଦିଲ୍ଲୀ ଏମ୍ସରେ ଓପିଡି ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ହୋଇଯାଇଛି । ଦିଲ୍ଲୀ ସଫଦରଜଙ୍ଗ ହସପିଟାଲରେ ଓପିଡିରେ ପଞ୍ଜୀକରଣ ମଧ୍ୟ ବନ୍ଦ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସମସ୍ୟା ଏବଂ ଡାକ୍ତରଙ୍କ ଦାବି ନେଇ ଆଲୋଚନା କରନ୍ତୁ । ଡାକ୍ତରଙ୍କ ଉପରେ ଆକ୍ରମଣ ବିରୋଧରେ ସେଣ୍ଟ୍ରାଲ ହସପିଟାଲ ପ୍ରୋଟେକ୍ସନ ଆକ୍ଟ ବନାଇବାକୁ ଆଇଏମଏ ଦାବି କରିଛି । ଡାକ୍ତରଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଏନେଇ ଏକ ଦାବିପତ୍ର ଦେଇଛି ।

ମହାରାଷ୍ଟ୍ର ଆସୋସିଏସନ୍ ଅଫ୍ ରେଜିଷ୍ଟର୍ଡ ଡକ୍ଟର୍ସ, ଆଜି ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ଜରୁରୀକାଳୀନ ସେବା ବ୍ୟତୀତ ଓପିଡି ଏବଂ ୱାର୍ଡରେ ସେବା ବନ୍ଦ ନେଇ ଘୋଷଣା କରିଛି । ସେହିପରି ଉତ୍ତରପ୍ରଦେଶରେ ବିଏଚ୍ୟୁ ମେଡିକାଲ କଲେଜ ଓପିଡି ମଧ୍ୟ ବନ୍ଦ ରହିଛି । ସାରା ଦେଶର ଏମସ୍ ଡାକ୍ତରମାନେ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.