ଜଳେଶ୍ୱର ୧୫/୦୧: ଗାଁକୁ ଭଲ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ୱୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ। କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଏପରି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତର ଗମ୍ଭାରିଆ ଗାଁରେ ଦେଖିବାକୁ ମିଳିଛି। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତାଟିଏ ନାହିଁ।
ଖବର ଅନୁସାରେ, ଧିରେନ ମହାନ୍ତିଙ୍କ ଝିଇଅ କୁନି ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ୱୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଗମ୍ଭାରିଆକୁ ଭଲ ରାସ୍ତା ନଥିବାରୁ ଗାଁ ଠାରୁ ଅଧ କିମି ଦୂରରେ ଆମ୍ୱୁଲାନ୍ସ ଅଟକି ଥିଲା। ଶେଷରେ ପରିବାର ସଦସ୍ୟ ଗାଁ ଲୋକଙ୍କୁ ଡାକି ଖଟିଆରେ ତାଙ୍କୁ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।
ସେପଟେ ଏହି ଗାଁକୁ ରାସ୍ତା ତିଆରି କରିବାକୁ ସ୍ଥାନୀୟ ଗାଁ ଲୋକମାନେ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେଥିପାଇଁ ସେମାନେ ବହୁ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଗାଁରେ ରୋଗୀଙ୍କୁ ଖଟିଆରେ ନେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବର୍ଷା ଦିନେ ଆଣ୍ଠଏ ଆଣ୍ଠୁଏ ପାଣିରେ ଏଠାରେ ରୋଗୀମାନଙ୍କୁ ଖଟିଆରେ ବୋହିବାର ଦୃଶ୍ୟ ସାମ୍ନାକୁ ଆସିଛି।