ପଟିଆ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
21/01/2023 at 11:14 AM

ଭୁବନେଶ୍ବର ୨୧।୦୧ : ପଟିଆ ନାବାଳିକା ଦୁଷ୍କର୍ମ ମାମଲା । ଦ୍ବିତୀୟ ଅଭିଯୁକ୍ତ ବୁଲୁ ମଲ୍ଲିକଙ୍କୁ ଗିରଫ କଲା ପୋଲିସ । ବୁଲୁକୁ ବାଙ୍କିରୁ ଗିରଫ କଲା ଜିଆର୍ପି ଥାନା ପୋଲିସ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଓରଫ କାହ୍ନାକୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ପଟିଆ ରେଳ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଥିଲା । ପରିବାର ପକ୍ଷରୁ ଜି.ଆର୍.ପି. ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଚାଇଲ୍ଡ ଲାଇନ୍ ଏବଂ ଇନଫୋସିଟି ପୋଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର ହୋଇଥିଲା । ପଟିଆ ଷ୍ଟେସନ୍ ପାଖ ବସ୍ତିରେ ଉଭୟଙ୍କ ପରିବାର ରୁହନ୍ତି। ସଂଧ୍ୟା ସମୟରେ ଏହି ୨ ନାବାଳିକା ଷ୍ଟେସନକୁ ଯାଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଅପହରଣ କରିନେଇଥିଲେ। ହାତଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରିଥିଲେ। ଉଭୟଙ୍କୁ ଦୁର୍ବୃତ୍ତମାନେ ରାତିତମାମ ଦୁଷ୍କର୍ମ କରିଥିଲେ ।
ଏପରିକି ଏକଥା ପ୍ରଘଟ କଲେ ଉଭୟ ନାବାଳିକାଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ । ତାପର ଦିନ ସକାଳେ ଉଭୟଙ୍କୁ ସେମାନେ ଛାଡ଼ିଥିଲେ। ୨ ନାବାଳିକା ଘରେ ପହଞ୍ଚି ପରିବାରକୁ ସବୁକଥା କହିଥିଲେ। ଦୁର୍ବୃତ୍ତମାନଙ୍କୁ ପରିବାର ଲୋକେ ପଚରାଉଚରା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଟଙ୍କା ଯାଚିଥିଲେ। ଘଟଣା ସଂପର୍କରେ ଚାଇଲଡ୍ ଲାଇନ୍ ଜାଣିବା ପରେ ପୋଲିସକୁ ଖବର ଦେଇଥିଲା । ଇନଫୋସିଟି ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଚାଇଲଡ୍ ଲାଇନ୍ ସହିତ ସେମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା। ଯେହେତୁ ଅପରାଧ ସ୍ଥାନ ରେଲୱେ ଜିଆରପି ଅଧୀନରେ ଆସୁଛି, ତେଣୁ ସମସ୍ତେ ଜିଆରପିକୁ ଆସିଥିଲେ। ଜଣେ ନାବାଳିକାଙ୍କ ମା ଜିଆରପିରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଜିଆରପି ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ଥିବା କୃଷ୍ଣଚନ୍ଦ୍ର ମଲ୍ଲିକ ଓରଫ କାହ୍ନାକୁ ଗିରଫ କରିଥିଲା ପୋଲିସ । ଆଉ ଏବେ ଆଉ ଜଣେ ଅଭିଯୁକ୍ତ ବୁଲୁ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ ।