ଖେଳ ପଡିଆକୁ ନେଇ ୨ଗାଁ ମଧ୍ୟରେ ବିବାଦ : କଥା ହେଲେ ଦେବେ ହଜାରେ ଟଙ୍କା ଜରିମାନା, ସେବା ବି ବନ୍ଦ କଲେ

Published By : Prameya-News7 Bureau | June 27, 2022 IST

ଖଣ୍ଡପଡା : ଖେଳ ପଡିଆକୁ ନେଇ କଙ୍ଗାରୁ କୋର୍ଟ। କଥା ହେଲେ ଜରିମାନା, ସେବା ବି ବନ୍ଦ । ଗୋଟିଏ ପଞ୍ଚାୟତର ଦୁଇଟି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍ ବନମାଳୀପୁର ପଞ୍ଚାୟତର ଦୁଇଟି ଗାଁ ବନମାଳୀପୁର ଓ ପଥୁରିଆ । ଦୁଇ ଗାଁ ପରସ୍ପର ଲାଗିକରି ରହିଥିବା ବେଳେ ଉଭୟ ଗାଁ ମଧ୍ୟରେ ଭାଇଚାରା ମଧ୍ୟ ବେଶ୍ ଭଲ । ଉଭୟ ଗାଁ ନିକଟରେ ଏକ ସରକାରୀ ଗୋଚର ଜମି ରହିଛି ଯେଉଁଥିରେ ପିଲା ଖେଳିଥାନ୍ତି । ତେବେ ଖେଳ ପଡିଆର ମାଲିକାନାକୁ ନେଇ ଉଭୟ ଗାଁ ମଧ୍ୟରେ ତିକ୍ତତା ଦେଖାଦେଇଛି । ଉଭୟ ଗାଁ ଲୋକେ ଖେଳ ପଡିଆର ମାଲିକାନା ଦାବି କରିଆସୁଛନ୍ତି ।

ତେବେ ଗତ କିଛି ଦିନ ତଳେ ପଥୁରିଆର କିଛି ଯୁବକ ସେହି ପଡିଆରେ ଖେଳୁଥିବା ବେଳେ ବନମାଳୀପୁର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ବନମାଳୀପୁର ଗାଁ ଲୋକେ ଏକ ବୈଠକ ଡାକି ପଥୁରିଆ ଗାଁଲୋକଙ୍କ ସହିତ ମିଳାମିଶା ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେପଟେ ପଥୁରିଆ ଗ୍ରାମକୁ ବନମାଳୀପୁର ଗ୍ରାମବାସୀ ଏକଘରିଆ କରି ରଖିଛନ୍ତି । କଙ୍ଗାରୁ କୋର୍ଟରେ ପଥୁରିଆ ଗାଁ ଲୋକଙ୍କ ସହ କଥା କହିଲେ ୧ ହଜାର ଟଙ୍କା ଜରିମାନା ଦେବା ସହ ସେମାନଙ୍କୁ ସେବା ବନ୍ଦ କରିଦେବା ନେଇ ପଥୁରିଆ ଲୋକେ ଅଭିଯୋଗ କରିଛନ୍ତି ।

ପଥୁରିଆ ଗାଁ ଲୋକ ଭାଗ ଚାଷୀ ହୋଇଥିବାରୁ ବନମାଳୀପୁର ଲୋକଙ୍କ ଜମି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏବେ କିନ୍ତୁ ସବୁ ବନ୍ଦ । ବନମାଳୀପୁରବାସୀ ପଥୁରିଆ ଲୋକଙ୍କୁ ଜମି ଚାଷରୁ ବାସନ୍ଦ କରିଦେଇଛନ୍ତି । ଫଳରେ ଭାଗ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ପଥୁରିଆ ଓ ବନମାଳୀପୁର ଗାଁ ମଧ୍ୟରେ ବିବାଦ ବଢିବାରେ ଲାଗିଥିବାରୁ ଜନ ଜୀବନ ପ୍ରଭାବିତ ହେବାରେ ଲାଗିଛି । ଚାଷରୁ ଗୁଜୁରାଣ ମେଣ୍ଟାଉଥିବା ଗାଁ ଦୁଇଟି ଏବେ ଚାଷ ଶୂନ୍ୟ ହୋଇପଡିଛି । ଫଳରେ ଗରିବ ଲୋକେ ବର୍ଷକର ଚାଉଳ ପାଇବା ଆଶା କ୍ଷୀଣ ହୋଇଆସୁଛି ।

ସେପଟେ ଏକଘରିକିଆ ରଖିବା ଘଟଣାକୁ ସିଧାସଳଖ ନ ହେଲେ ବି ମାନିଛନ୍ତି ବନମାଳୀପୁର ଗାଁ ସଭାପତି ହୁରୁଷି  ପରିଡା । ମଧ୍ୟସ୍ଥି ମାଧ୍ୟମରେ ଏହାର ସମାଧାନ କରିହେବ ବୋଲି ହୁରୁଷି କହିଛନ୍ତି । ଅନ୍ୟପଟେ ଅଭିଯୋଗ ଆସିନାହିଁ, ଆସିଲେ ଘଟଣାର ସମାଧାନ କରିବେ ବୋଲି ବନମାଳୀପୁର ପଞ୍ଚାୟତ ସରପଞ୍ଚ ବାସନ୍ତୀ ବେହେରା କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.