ସମ୍ୱଲପୁର ୦୭/୦୬: ସମ୍ବଲପୁରରେ ଆରମ୍ଭ ହେଲାଣି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଗୁରୁବାର କେବଳ ନନ୍ଦପଡାର ବମ୍ ବରାଡ ବାବା ବାଲୁଙ୍କେଶ୍ବର ନିର୍ବନ୍ଧ ବା ପତରପେଣ୍ଡି ଯାତ୍ରା ସରିଥିବାବେଳେ ଆଜିି ଦେବ ନିମନ୍ତ୍ରଣ ରହିଛି । ସେହିପରି ବଡବଜାର ଶୀତଳେଶ୍ବର ବାବା, ମୋଦିପଡା ଜାଗେଶ୍ବର ବାବା, ଝାଡୁଆପଡା ଲୋକନାଥ ବାବା ସମେତ ଅନ୍ଯ ପଡାର ଆସନ୍ତାକାଲି ପତରପେଣ୍ଡି ରହିଛି ।
ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଅୟମାରମ୍ଭ । ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ନନ୍ଦପଡାର ବଂବରାଡ ବାଲୁଙ୍କେଶ୍ୱର ବାବାଙ୍କ ତପରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି । ବର୍ଣାଢ୍ୟ ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି ।
ଗୁରୁବାର ସନ୍ଧ୍ୟାରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବରପିତା ରାମଚରଣ ମିଶ୍ର ମହାଦେବଙ୍କ ନିକଟରେ ଆଳତୀ କରିଥିଲେ । ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ପୌରୋହିତ୍ୟ କରିଥିଲେ ।
ଏହାପରେ ଏକ ସୁସଜ୍ଜିତ ରଥ ବା ବିମାନରେ ବାହାରିଥିଲେ ବରପିତା ଶ୍ରୀ ମିଶ୍ର । ସୁସଜ୍ଜିତ ରଥରେ ବରପିତା ବିରାଟ ଶୋଭାଯାତ୍ରା ସହ କନ୍ୟା ପିତା ଘର ଚାରଭାଟି ସ୍ଥିତ ସୁମନ୍ତ ପଣ୍ଡା ଏବଂ ନୀତିପ୍ରିୟା ଦେବୀଙ୍କ ଘର ଅଭିମୁଖେ ବାହାରିଥିଲେ । ସାଥିରେ ଥିଲେ ସପ୍ତଋଷୀ । ଶଙ୍ଖ, ଘଣ୍ଟ, ଘଣ୍ଟା, ଦୁଲଦୁଲି, ଧମାଲ ବାଦ୍ୟ ଏବଂ ଗୌରବାଡି ନୃତ୍ୟର ତାଳେ ତାଳେ ସହର ଦୁଲୁକି ଉଠିଥିଲା ।
ଶୋଭାଯାତ୍ରା ନନ୍ଦପଡାରୁ ବାହାରି ହାଟପଡା, ଦଲେଇପଡା, ମ୍ୟୁନିସିପାଲିଟି ଛକ, କଚେରୀ ଛକ, ଜେଲଛକ, ଚାରଭାଟି ଛକ ଦେଇ କନ୍ୟାପିତା ମାତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପତରପେଁଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ବରପକ୍ଷରୁ ସପ୍ତଋଷୀ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟାରତ୍ନଙ୍କ ସହ ବିବାହ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ କନ୍ୟାପକ୍ଷ ବରଙ୍କ ବାବଦରେ ପଚାରିବାରୁ ସପ୍ତଋଷୀ ବାଲୁଙ୍କେଶ୍ୱର ବାବାଙ୍କ ଗୁଣଗାନ କରିଥିଲେ । ଏହା ଜାଣିବା ପରେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ଗୁଣଗାନ କରିବା ସହିତ ବିବାହ ନେଇ ସମ୍ମତି ଜଣାଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ନିର୍ବନ୍ଧ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।
ବରପିତା ଏକ ନୂତନ କଂସା ଥାଳିରେ ଥିବା ଶାଳପତ୍ର ବିଡା ସହିତ ଗୁଆ, ନଡିଆ, ଫୁଲ, ବେଲପତ୍ର ଆଦି ପୂଜା ସାମଗ୍ରୀକୁ କନ୍ୟାପିତାଙ୍କୁ ହସ୍ତାନ୍ତର କରିଥିଲେ । ସପ୍ତଋଷୀ ଭାବେ ବିଜୟ ମିଶ୍ର, କାମପାଳ ହୋତା, ଗୋଳକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣାନନ୍ଦ ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ଯୋଗ ଦେଇଥିଲେ । ଆସନ୍ତା ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ଫଣୀଭୂଷଣ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ । ସେହିପରି ଆସନ୍ତା ୮ ତାରିଖରେ ସହରର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ବିଧି ସଂପନ୍ନ ହେବାକୁ ଯାଉଛି