ମୁମ୍ବାଇ : ବମ୍ବେ ହାଇକୋର୍ଟ ୨୦୨୩ର ଏକ ଅନ୍ତରୀଣ ଆଦେଶର ଅବହେଳା ନିମନ୍ତେ ସୋମବାର ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଉପରେ ୪ କୋଟି ଟଙ୍କାର ଜରିମନା ଲଗାଇଛନ୍ତି। ମଙ୍ଗଳମ ଅର୍ଗାନିକ୍ସ ଲିମିଟେଡ ଦ୍ୱାରା ରୁଜୁ ‘ଟ୍ରେଡମାର୍କ’ ଉଲ୍ଲଂଘନ ମାମଲାରେ ପତଞ୍ଜଳିର କର୍ପୁର ଉତ୍ପାଦ ବିକ୍ରି ଉପରେ ରୋକ ଲଗାଯାଇଥିଲା। ତେବେ ଏହି ରୋକ ଅବମାନନା କରି ପତଞ୍ଜଳି ଆୟୁର୍ବେଦ କର୍ପୁର ଉତ୍ପାଦ ବିକ୍ରି କରୁଥିଲେ। ଏଣୁ ବିଚାରପତି ଜଷ୍ଟିସ୍ ଆର.ଆଇ ଚାଗଲାଙ୍କ ଏକକ ପୀଠ ପତଞ୍ଜଳିକୁ ୨ ସପ୍ତାହରେ ୪ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଚାଗଲାଙ୍କ ପୀଠ କହିଛନ୍ତି ଯେ ପତଞ୍ଜଳି କୋର୍ଟଙ୍କ ଆଦେଶକୁ ‘ଜାଣିଶୁଣି’ ଉଲ୍ଲଂଘନ କରିଛି। କୋର୍ଟ କହିଛନ୍ତି ଯେ ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ପତଞ୍ଜଳିଙ୍କ ଉଦ୍ଦେଶ୍ୟ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିବା ଥିଲା। ପୀଠ ମଙ୍ଗଳମ ଅର୍ଗାନିକ୍ସ ଲିମିଟେଡ ଦ୍ୱାରା ରୁଜୁ ପିଟିସନକୁ ଡିସ୍ପୋଜ କରିଦେଇଛନ୍ତି, ଯେଉଁଥିରୋ କୋର୍ଟଙ୍କ ରୋକ ସତ୍ତ୍ୱେ କର୍ପୁର ଉତ୍ପାଦ ବିକ୍ରି ପାଇଁ ପତଞ୍ଜଳି ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଥିଲା।
ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ ଚାଗଲାଙ୍କ ପୀଠ ପତଞ୍ଜଳିକୁ ୨ ସପ୍ତାହ ମଧ୍ୟରେ ୪ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ କୋର୍ଟ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲା। ମଙ୍ଗଳମ ଅର୍ଗାନିକ୍ସ ତାଙ୍କ କର୍ପୁର ଉତ୍ପାଦର କପି ରାଇଟ ଉଲ୍ଲଂଘନ ଅଭିଯୋଗ କରି ପତଞ୍ଜଳି ବିରୋଧରେ ମୋକଦ୍ଦମା କରିଥିଲା। ମଙ୍ଗଳମ ଅର୍ଗାନିକ୍ସ ପରେ ଏକ ଆବେଦନ ଦାୟର କରି ପତଞ୍ଜଳି ଅନ୍ତରିମ ଆଦେଶର ଉଲ୍ଲଂଘନ କରି କର୍ପୁର ଉତ୍ପାଦ ବିକ୍ରି କରୁଥିବାର ଅଭିଯୋଗ କରିଥିଲା।