୭.୨% ଭାରତୀୟଙ୍କ ନିକଟରେ ଅଛି ପାସ୍ପୋର୍ଟ, କେରଳ ଏବଂ ମହାରାଷ୍ଟ୍ରରେ ଅଧିକ
20/12/2022 at 9:28 AM

ନୂଆଦିଲ୍ଲୀ ୨୦/୧୨: ସ୍ୱାଧୀନତାର ୭୫ ବର୍ଷ ପରେ ବି ମାତ୍ର ୭.୨% ଭାରତୀୟଙ୍କ ନିକଟରେ ପାସ୍ପୋର୍ଟ ରହିଛି । ଗତ ଦଶନ୍ଧିରେ ଅଧିକାଂଶ ଲୋକ ଏହାକୁ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ବହିର୍ବ୍ୟାପାର ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଭାରତୀୟଙ୍କ ପାଖରେ ପାସ୍ପୋର୍ଟ ରହିଥିଲା । ଆସନ୍ତା କିଛି ମାସ ମଧ୍ୟରେ ଏହା ୧୦ କୋଟି ଟପିପାରେ ।
ରିପୋର୍ଟ ଅନୁସାରେ, ୯.୬ କୋଟି ମଧ୍ୟରୁ ୨.୨ କୋଟିରୁ ଊଦ୍ଧ୍ୱର୍(୨୩%) ପାସ୍ପୋର୍ଟ କେରଳ ଏବଂ ମହାରାଷ୍ଟ୍ରରେ ଜାରି କରାଯାଇଛି । ଅଧିକ ପାସ୍ପୋର୍ଟ ଜାରି କରାଯାଇଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ କର୍ଣ୍ଣାଟକ ରହିଛି । ଦେଶରେ ହାରାହାରି ପାସ୍ପୋର୍ଟଧାରୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ରହିଛି ।
ଏଠାରେ ଉଲ୍ଲେଖ କରାଯାଇପାରିବ ଯେ, ବର୍ତ୍ତମାନ ଯାଏ ପାସ୍ପୋର୍ଟ ପ୍ରଦାନ ନୀତି ଅତ୍ୟନ୍ତ କଠିନ ରହି ଆସିଥିଲା । ସଂସ୍କାର ପଦକ୍ଷେପର ଅଂଶବିଶେଷ କେନ୍ଦ୍ର ସରକାର ଦେଶବ୍ୟାପୀ ପାସ୍ପୋର୍ଟ ସେବା କେନ୍ଦ୍ର(ପିଏସ୍କେ) ସଂଖ୍ୟା ବୃଦ୍ଧି କରିଆସୁଛନ୍ତି ଏବଂ ପାସ୍ପୋର୍ଟ ଜାରି କରିବାର ପ୍ରକ୍ରିୟାକୁ ସରଳ କରୁଛନ୍ତି । ୨୦୧୫ରେ ଏକ ପାସ୍ପୋର୍ଟ ଜାରି କରିବା ପାଇଁ ୨୧ ଦିନ ସମୟ ଲାଗୁଥିଲା । ବର୍ତ୍ତମାନ ଏହା ହାରାହାରି ୬ ଦିନକୁ ଖସିଆସିଛି । ୨୦୧୫ରୁ ୨୦୨୨ ମଧ୍ୟରେ ଅନ୍ୟୁନ ୩୬୮ ସଂଖ୍ୟକ ପିଏସ୍କେ ଯୋଡ଼ାଯାଇଛି ।
୨୦୧୪ରେ ଦେଶରେ ୧୫୩ଟି ପିଏସ୍କେ ଥିଲା । ୨୦୧୪ ତୁଳନାରେ ଏ ସଂଖ୍ୟାରେ ୩୪୦% ବୃଦ୍ଧି ଦେଖାଦେଇଛି । ଅନ୍ୟପକ୍ଷରେ, ବିଦେଶରେ ୧୪୦ରୁ ଅଧିକ ଭାରତୀୟ ମିଶନରେ ପାସ୍ପୋର୍ଟ ଜାରି କରାଯାଇଥାଏ । ୨୦୧୪ରୁ ଜାରି କରାଯାଇଥିବା ପ୍ରତି ୧୦ରେ ଗୋଟିଏ ପାସ୍ପୋର୍ଟ ଭାରତୀୟ ମିଶନରେ ଜାରି ହୋଇଛି । ବର୍ଦ୍ଧିତ ମୁଣ୍ଡ ପିଛା ଆୟ, କୋହଳ ମାନଦଣ୍ଡ ଏବଂ ବିଦେଶରେ ଶିକ୍ଷା ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଯୋଗୁ ବୃହତ୍ ସଂଖ୍ୟକ ଭାରତୀୟ ପାସ୍ପୋର୍ଟ ଚାହୁଁଛନ୍ତି । ଚଳିତ ବର୍ଷ ଡିସେମ୍ବର ୧୨ ସୁଦ୍ଧା ୧.୧ କୋଟିରୁ ଅଧିକ ପାସ୍ପୋର୍ଟ ଜାରି କରାଯାଇଛି ।
ଏଥିମଧ୍ୟରେ ୧୦.୫% ବିଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ଦ୍ୱାରା ଜାରି କରାଯାଇଛି । କେବଳ କେରଳ ଏବଂ ମହାରାଷ୍ଟ୍ରରେ ୧ କୋଟିରୁ ଊଦ୍ଧ୍ୱର୍ ଲେଖାଏଁ ପାସ୍ପୋର୍ଟଧାରୀ ରହିଛନ୍ତି । ତାମିଲନାଡୁରେ ଏ ସଂଖ୍ୟା ପ୍ରାୟ ୯୭ ଲକ୍ଷ ରହିଛି । ଉଭୟ ତାମିଲନାଡୁ ଏବଂ ମହାରାଷ୍ଟ୍ର ଜନସଂଖ୍ୟା କେରଳଠାରୁ ଅଧିକ । କିନ୍ତୁ କେରଳରେ ସର୍ବାଧିକ ଲୋକଙ୍କ ପାଖରେ ପାସ୍ପୋର୍ଟ ରହିଥିବା ରିପୋର୍ଟରେ କୁହାଯାଇଛି । ଉତ୍ତର ପ୍ରଦେଶ, ଯାହାର ଜନସଂଖ୍ୟା ତାମିଲନାଡୁର ଦୁଇଗୁଣା, ସେଠାରେ ୮୭.୯ ଲକ୍ଷ ପାସ୍ପୋର୍ଟଧାରୀ ଅଛନ୍ତି । ପଞ୍ଜାବରେ ଏ ସଂଖ୍ୟା ୭୭ ଲକ୍ଷରୁ ଅଧିକ ରହିଛି ।
ଗୁଜରାଟରେ ଏହା ୬୭.୬ ଲକ୍ଷ ଥିବାବେଳେ କର୍ଣ୍ଣାଟକରେ ୬୬.୩ ଲକ୍ଷ ରହିଛି । ଦେଶରେ ଥିବା ମୋଟ ପାସ୍ପୋର୍ଟଧାରୀଙ୍କ ମଧ୍ୟରୁ ଏହି ୭ଟି ରାଜ୍ୟରେ ଦୁଇ ତୃତୀୟାଂଶ ରହିଛନ୍ତି । ଆଣ୍ଡାମାନ ନିକୋବରରେ ସବୁଠାରୁ କମ୍ ୪,୩୧୬ ଲୋକଙ୍କ ପାଖରେ ପାସ୍ପୋର୍ଟ ରହିଥିବା
ତଥ୍ୟରୁ ଜଣାପଡ଼ିଛି ।