ଢେଙ୍କାନାଳ ୨୦।୭: ଦୀର୍ଘ ମାସ କୋଭିଡ୍ କଟକଣା ପରେ ରାଜ୍ୟରେ ବସ୍ ଚଳାଚଳ କୋହଳ କରାଯାଇଛି । ଫଳରେ ରାଜ୍ୟରେ ବସ୍ ଚଳାଚଳ ଘୋଷଣା ପରେ ଢେଙ୍କାନାଳ ବସଷ୍ଟାଣ୍ଡକୁ ଯାତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି । ତେବେ ବସ୍ ଚଳାଚଳର ସମୟ ନିର୍ଘଣ୍ଟ ସାଙ୍ଗକୁ କମ୍ ସଂଖ୍ୟକ ଯାତ୍ରୀ ବସ୍ ମାଲିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଗୋଟିଏ ପଟରେ ଡିଜେଲ ଦର ବୃଦ୍ଧି ଏପଟେ ବସରେ ସମସ୍ତ ଯାତ୍ରୀ ମାସ୍କ, ସିଟିଂ ମୁତାବକ ଯାତ୍ରୀ ପରିବହନ କଟକଣା । ଫଳରେ ସମୟ ନିର୍ଘଣ୍ଟ ମଧ୍ୟରେ ବସରେ ଯାତ୍ରୀ ହେଉ ନଥିବାରୁ ବସଷ୍ଟାଣ୍ଡରେ ବସ୍ ଗୁଡିକ ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କ ଅପେକ୍ଷାରେ ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି । ଯାହାକି ବସ୍ ମାଲିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା କୁହାଯାଉଛି ।
ସେପଟେ କଟକ, ଅନୁଗୋଳ ଆଦି ଅଞ୍ଚଳରୁ ଯାତ୍ରୀମାନେ ଆସିବା ପରେ ଢେଙ୍କାନାଳରୁ କାମାକ୍ଷାନଗର, ଗଁନ୍ଦିଆ, ଜୋରନ୍ଦା ଓ ଭାପୁର ଅଂଚଳକୁ ଯିବାକୁ ଥିବା ଯାତ୍ରୀମାନେ ବସ୍ ଅପେକ୍ଷାରେ ଢେଙ୍କାନାଳ ବସଷ୍ଟାଣ୍ଡରେ ଦୀର୍ଘ ୫/୬ଘଣ୍ଟା ଅପେକ୍ଷା କରି କରି ହନ୍ତସନ୍ତ ହେଉଥିବା ଦେଖାଯାଉଛି । କହିବାକୁ ଗଲେ କୋଭିଡ୍ ସଂକ୍ରମଣ ଭୟ ଲୋକଙ୍କ ମନରୁ ଛାଡୁ ନଥିବାରୁ କାଁ ଭାଁ ଯାତ୍ରୀ ଆସୁଛନ୍ତି । ଫଳରେ ସଠିକ୍ ସଂଖ୍ୟକ ଯାତ୍ରୀଙ୍କୁ ବସ୍ ଅପେକ୍ଷା କରି ରହୁଥିବା ବେଳେ ଏପଟେ ଯାତ୍ରୀମାନେ ବସ୍ ଛାଡିବାକୁ ଅପେକ୍ଷାରେ ନାକେଦମ ହେଉଛନ୍ତି ।