ସେକ୍ସ ଆଳରେ ଯାତ୍ରୀଙ୍କୁ ଲୁଟୁଛନ୍ତି, ପିଟୁଛନ୍ତି: ଲେଡି ଲୁଟେରାଙ୍କୁ ଉଠାଇ ଆଣିଲା ପୋଲିସ

Published By : Prameya-News7 Bureau | May 13, 2023 IST

ଭୁବନେଶ୍ୱର ୧୩/୦୫: ରାତି ହେଲେ ଝିଲିମିଲି ଡ୍ରେସ୍‌ ପିନ୍ଧି ଗୋରା ତକତକ ଚେହେରା ଦେଖାଇ ଛିଡା ହେଉଛନ୍ତି । ନିଶବ୍ଦ ରାତିରେ ମିଞ୍ଜି ମିଞ୍ଜି ଆଲୁଅରେ ରାସ୍ତା କଡ଼ରେ ଛିଡ଼ା ହୋଇ ପଡ଼ୁଛନ୍ତି । ଯାତ୍ରୀଙ୍କୁ ଏକୁଟିଆ ଦେଖିଲେ ଇଙ୍ଗିତ କରି ପାଖକୁ ଡ଼ାକୁଛନ୍ତି । ଆଉ ଯାତ୍ରୀ ପହଞ୍ଚିବା ପରେ ଗଳିକନ୍ଦି ରାସ୍ତାକୁ ନେଇ ଆରମ୍ଭ କରି ଦେଉଛନ୍ତି ଲୁଟ୍‌ପାଟ ।

ଏମିତିକି ପ୍ରତିବାଦ କଲେ ନିସ୍ତୁକ ମାଡ଼ମାରି ଅସଦାଚରଣର ଭୟ ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି । ଫଳରେ ବାଧ୍ୟ ହୋଇ ବିଚରା ଯାତ୍ରୀ ଇଜ୍ଜତ ଭୟରେ କାନମୁଣ୍ଡା ଆଉଁସି ଫେରୁଛନ୍ତି । ସେକ୍ସ ଆଳରେ ଯାତ୍ରୀଙ୍କୁ ଲୁଟ୍‌ପାଟ କରୁଥିବା ଏଭଳି ୨ ଲେଡି ଲୁଟେରାଙ୍କୁ ଉଠାଇ ଆଣିଛି ଖାରବେଳନଗର ଥାନା ପୋଲିସ । ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଘଟଣାରୁ ଯାହା ଜଣାପଡିଛି, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବକ ବେଙ୍ଗାଲୁର୍‌ରୁ ଆସି ଭୋର ୩ଟାରେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ସେଠାରୁ ସେ ଚାଲି ଚାଲି ରୂପାଲି ଛକ ଅଭିମୁଖେ ଯାଉଥିଲେ । ରାମ ମନ୍ଦିର ଛକ ପୂର୍ବରୁ ଏକ ଗଳିରୁ ଜଣେ ଯୁବତୀ ବାହାରି ଆସି ଇଶାରା କରି ତାଙ୍କୁ ଡ଼ାକିଥିଲେ । ଯୁବକ ଜଣଙ୍କ ଯୁବତୀଙ୍କ ପାଖକୁ ଯାଇଥିଲେ । ହଠାତ୍‌ ଯୁବତୀ ଜଣଙ୍କ ଯୁବକଙ୍କୁ ଜାବୁଡ଼ି ଧରିଥିଲେ । କିଛି ବୁଝିବା ପୂର୍ବରୁ ଅନ୍ୟଜଣେ ଯୁବତୀ ପହଞ୍ଚି ଯାଇଥିଲେ ।

ଉଭୟ ମିଶି ରାହୁଲଙ୍କ ଠାରୁ ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ । ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ଉଭୟ ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଭୟରେ ଯୁବକ ଜଣଙ୍କ ଦୌଡ଼ିଥିଲେ । କିଛି ଦୂରରେ ଛିଡ଼ା ହୋଇଥିବା ପିସିଆର ପୋଲିସକୁ ଘଟଣା ସଂପର୍କରେ ଜଣାଇଥିଲେ । ପିସିଆର ପୁଲିସ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ କେହି ନଥିଲେ ।

ସଙ୍ଗେ ସଙ୍ଗେ ପୋଲିସ ଚାରିଆଡ଼େ ଖୋଜାଖୋଜି କରି ଶେଷରେ ୟୁନିଟ୍‌-୩ ଅଞ୍ଚଳରୁ ୨ ଯୁବତୀଙ୍କୁ ଠାବ କରିଥିଲେ । ଯୁବକ ଜଣଙ୍କ ସେମାନଙ୍କୁ ଚିହ୍ନଟ କରିଥିଲେ । ପୁଲିସ ୨ ଯୁବତୀଙ୍କୁ ପଚାରିବାରୁ ସେମାନେ ଓଲଟି ପୋଲିସକୁ ଗାଳିଗୁଲଜ କରିଥିଲେ । ପିସିଆର ପୁଲିସ ଠାରୁ ଖବରପାଇ ଖାରବେଳନଗର ଥାନା ପୋଲିସ ସେଠାରେ ପହଞ୍ଚି ଯାଇଥିଲା । ୨ ଯୁବତୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି ।

ଉଭୟଙ୍କ ଠାରୁ ପୋଲିସ ଯୁବକଙ୍କ ଲୁଟ୍‌ ମୋବାଇଲ ଓ ମନିପର୍ସ ଜବତ କରିଛି । ପୁଲିସ ତଦନ୍ତରୁ ଜଣାପଡ଼ିଛି, ଏହିପରି କିଛି ଲେଡି ଲୁଟେରା ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ସେକ୍ସ ଆଳରେ ଯାତ୍ରୀଙ୍କୁ ଲୁଟ୍‌ପାଟ କରୁଛନ୍ତି । ତେଣୁ ଧରାପଡ଼ିଥିବା ଲେଡି ଲୁଟେରା ଏପରି କେତେଜଣଙ୍କୁ ଲୁଟ୍‌ପାଟ କରିଛନ୍ତି ସେ ନେଇ ପୁଲିସ ୨ ଜଣଙ୍କୁ ପଚରାଉଚରା କରୁଛି । ତଦନ୍ତ ଜାରି ରହିଥିବାରୁ ପୁଲିସ ୨ ଲେଡି ଲୁଟେରାଙ୍କ ବିଷୟରେ କୌଣସି ସୂଚନା ଦେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.