ପାଟନା ୬।୬: ବିହାର ଲଖିସରାୟରେ ଗୁରୁବାର ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଫଳରେ ଦୁଇଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା କୁହାଯାଉଛି। ତେବେ ଟ୍ରେନ୍ରେ ନିଆଁ ଲାଗିବା ଦେଖି ଯାତ୍ରୀ ବଗିରୁ ଓହ୍ଲଆଇ ପଳାଇଛନ୍ତି। ଫଳରେ କେହି ମୃତାହତ ହୋଇ ନଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଟ୍ରେନ ପାଟନାରୁ ଜସିଡିହ ଯିବା ରାସ୍ତାରେ କିଉଲ ଜଙ୍କସନରେ ଏହି ଅଘଟଣ ଘଟିଛି। ପ୍ରଥମେ ଗୋଟିଏ କୋଚ୍ରେ ନିଆଁ ଲାଗିଥିଲା, ଦେଖୁ ଦେଖୁ ପାଖ କୋଚ୍ ବି ଜଳିବାକୁ ଲାଗିଲା।
ଏହା ପୂର୍ବରୁ ଦିଲ୍ଲୀରେ ତାଜ୍ ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ଜଣାପଡିଥିଲା। ଏହି ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ଜଳି ପାଉଁଶ ହୋଇଯାଇଛି। ତାଜ ଏକ୍ସପ୍ରେସ୍ ରେ ତୁଗଲକାବାଦ-ଓଖଲା ମଧ୍ୟରେ ନିଆଁ ଲାଗିଥିଲା। ଟ୍ରେନରେ ଏପରି ନିଆଁ ଲାଗିବାର କାରଣ ଜଣା ପଡି ନାହିଁ। ତେବେ ଦାନାପୁର ଡିଭିଜନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଯାତ୍ରୀଙ୍କ ଅନୁସାରେ ପାଟନା-ଜସିଡିହ ମେମୁ ଟ୍ରେନ୍ କେଉଲ ଜଙ୍କସନ ପ୍ଲାଟଫର୍ମ ନମ୍ବର ୫ରେ ପହଞ୍ଚିବା ପରେ ନିଆଁ ଲାଗିଥିଲା।
ଇଞ୍ଜିନରୁ ୬-୭ଟି ବଗି ପରେ ଚକ ନିକଟରୁ ନିଆଁ ଉପରକୁ ଉଠିଥିଲା। ଟ୍ରେନ ଛିଡା ହୋଇଥିବାରୁ ଯାତ୍ରୀମାନେ ତୁରନ୍ତ ପ୍ଲାଟଫର୍ମ କୁ ଓହ୍ଲାଇ ଯାଇଥିଲେ ଓ ବଗିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ଏଥିରେ ପ୍ରଥମେ ନିଆଁ ଲାଗିଥିବା ବଗି ଦୁଇଟିକୁ ଟ୍ରେନରୁ ଅଲଗା କରିଦିଆଯାଇଥିଲା ଓ ତା ପରେ ନିଆଁ ଲିଭା କାମ ଆରମ୍ଭ ହୋଇଥିଲା। ଆରପିଏଫ ଓ ଯାତାୟାତ ନିରୀକ୍ଷକଙ୍କ ଟିମ୍ ପହଞ୍ଚି ନିଆଁକୁ କାବୁ କରିଥିଲେ।