ଏପଟେ ସୁଖଜିନ୍ଦର ସିଂହ ରାନ୍ଧଓ୍ବାଙ୍କ ଘରେ ଚାଲିଥିଲା ଉତ୍ସବ, ଅଚାନକ୍‌ ଚରଣଜିତ୍‌ ସିଂହ ଚନ୍ନି ହୋଇଗଲେ ସିଏମ୍‌…

Published By : Prameya-News7 Bureau | September 19, 2021 IST

ଚଣ୍ଡିଗଡ ୧୯/୦୯ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚରଣଜିତ୍‌ ସିଂହ ଚନ୍ନି । ଏ ନେଇ କଂଗ୍ରେସ ହାଇକମାଣ୍ଡ ମୋହର ମାରିଛନ୍ତି । ତେବେ କଥା ହେଉଛି ମୁଖ୍ୟମନ୍ତ୍ରୀ ରେସ୍‌ରେ ସବୁଠାରୁ ଆଗରେ ଥିବା ସୁଖଜିନ୍ଦର ସିଂହ ରନ୍ଧାଓ୍ବା ନିରାଶ ହୋଇଛନ୍ତି । ଦଳ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୋଟେ ପଟେ ସୁଖଜିନ୍ଦର ସିଂହ ରନ୍ଧାଓ୍ବାଙ୍କ ବାସଭବନରେ ଉତ୍ସବର ମାହୋଲ ଚାଲିଥିବା ବେଳେ ହଠାତ ଚନ୍ନିଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା ହୋଇଥିଲା । ତେବେ ଚରଣଜିତ୍‌ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁଖଜିନ୍ଦର ସିଂହ ରନ୍ଧାଓ୍ବା । ସେ କହିଛନ୍ତି, ‘ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି । ମୁଁ ଏହାକୁ ସ୍ବାଗତ କରୁଛି । ଚନ୍ନି ହେଉଛନ୍ତି ମୋ ସାନ ଭାଇ ଭଳି । ତେଣୁ ମୁଁ ଏଥିପାଇଁ ଆଦୌ ଦୁଃଖିତ ନୁହେଁ । ଚରଣଜିତ୍‌ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଧନ୍ୟବାଦ ।’

ଚରଣଜିତ୍‌ ସିଂ ଚନ୍ନିଙ୍କ ନାଁ ଘୋଷଣା ହେବା ପୂର୍ବରୁ ସୁଖଜିନ୍ଦର ସିଂ ରନ୍ଧାୱା ପଞ୍ଜାବର ନୂଆ ସିଏମ୍ ହେବେ ବୋଲି ପ୍ରାୟ ନିଶ୍ଚିତ ହୋଇସାରିଥିଲା । ଦିଲ୍ଲୀ ଠାରୁ ପଞ୍ଜାବ ରାଜନୀତି କରିଡର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଥିଲା ଯେ ସୁଖଜିନ୍ଦର ସିଂହ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ତାଙ୍କ ଘରେ ଉତ୍ସବ ମଧ୍ୟ ଆରମ୍ଭ ହୋଇଯାଇଥିଲା । ଏପରିକି ମିଠା ମଧ୍ୟ ବଣ୍ଟା ଯାଉଥିଲା । କିନ୍ତୁ ହଠାତ୍ ଚନ୍ନି ନୂଆ ସିଏମ୍ ହୋଇଗଲେ । ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷ ମୂହୁର୍ତ୍ତରେ କିନ୍ତୁ ସବୁ ଓଲଟପାଲଟ ହୋଇଯାଇଥିଲା । ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଘୋଷଣା ହୋଇଛି । ଆସନ୍ତାକାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜିତ୍‌ ସିଂହ ଚନ୍ନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.