ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ

Published By : Prameya-News7 Bureau | August 20, 2022 IST

ଭୁବନେଶ୍ୱର ୨୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ  ସୋଆ କୃଷି ବିଜ୍ଞାନ ମହାବିଦ୍ୟାଳୟ (ଇନିଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌)ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।

ଆଇଏଏସ୍‌, ସୋଆ ଏନଏସଏସ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆଇଏଏସ୍ ପରିସରରୁ ବାହାରି ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତ୍ତାମାନେ ଏକାଠି ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଶୋଭଯାତ୍ରା ସରିଥିଲା।

ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଘାସର କ୍ଷତିକାରକ ପ୍ରଭାବ ଉପରେ ବିସ୍ତୃତ ବର୍ଣ୍ଣନା  କରିଥିଲେ। ଏଥିରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନାଙ୍କ ସହିତ ଅନ୍ୟାମାନେ ଯୋଗ ଦେଇଥିଲେ।  

ଅନ୍ୟପଟେ ଛତାବରରେ ମଧ୍ୟ ଚାଷୀମାନଙ୍କ ଗହଣରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ସେଠାରେ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି (ସଂଯୋଜକ) ଏବଂ ଡକ୍ଟର ଶୁଭପ୍ରଦ ଦାସ (ସହ-ସଂଯୋଜକ) ପରିଚାଳନା କରିଥିଲେ।

ଆସନ୍ତା ଅଗଷ୍ଟ ୨୨ରେ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.